ମୟୁରଭଞ୍ଜ/ଭଦ୍ରକ: କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛି ଗୋରୁ ଚାଲାଣ ରାକେଟ୍ । କିଟି କିଟି ଅନ୍ଧାର ରାତିରେ ହେଉଛି ଗୋରୁ ଚାଲାଣ । ଆଉ ପୁଲିସ ଆଖିରେ ଧୂଳି ଦେବାକୁ ଟ୍ରକ୍ ବଦଳରେ ବଡ଼ ବଡ଼ ଚାରି ଚକିଆ ଯାନରେ ଗୋରୁ ଚାଲାଣ ହେଉଛି । ମୟୁରଭଞ୍ଜ ଓ ଭଦ୍ରକରେ ଗତକାଲି ପୁଲିସ ଦୁଇଟି ଗୋରୁ ଭର୍ତ୍ତି ଗାଡ଼ିକୁ ଜବତ କରିଛି ।
ଗତକାଲି ବିଳମ୍ବିତ ରାତିରେ ଏକ ମହିନ୍ଦ୍ରା ସ୍କର୍ପିଓ ଗାଡ଼ି (OD 02DO 5475)କୁ ଦେଖି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୁଲିସ ପାଟ୍ରୋଲିଂ ଟିମ୍ ସନ୍ଦେହ କରି ପିଛା କରିଥିଲା । ସ୍କର୍ପିଓ ଗାଡ଼ିଟି ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ମାଡ଼ି ବସିଥିଲା । ଯେଉଁଥିରେ ଲୋକେ ଯାତ୍ରା କରିବା କଥା ସେଥିରେ ଥିଲା ୪ଟି ବଳଦ । ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୁଲିସ ଗାଡ଼ି ଓ ସମସ୍ତ ବଳଦକୁ ଜବତ କରିଛି । ମାତ୍ର ଡ୍ରାଇଭର ଫେରାର ହେବାରେ ସଫଳ ହୋଇଛି । ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ସେହିପରି ଭଦ୍ରକରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦ୍ରୁତ ଗତିରେ ଯାଉଥିବା ଏକ ଓମିନୀ ଗାଡ଼ି (OR 22A 7205)କୁ ଦେଖିଥିଲା । ଗାଡ଼ିଟି ଭଦ୍ରକ ସହର ଭିତରେ ପଶିଥିବା ବେଳେ ଟାଉନ୍ ହଲ୍ ଛକ ନିକଟରେ ପୁଲିସ ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା । ଏକ ଛୋଟିଆ ଓମିନୀ ଗାଡ଼ି ଭିତରୁ ୯ଟି ଗୋରୁ ମିଳିଥିଲା । ପୁଲିସ ୯ ଗୋରୁକୁ ଉଦ୍ଧାର କରିଥିବାବେଳେ ଡ୍ରାଇଭରକୁ ଅଟକ ରଖିଛି ଯାଞ୍ଚ ଆରମ୍ଭ କରିଛି ।