କଟକ: ବନ୍ୟା ସମୟରେ ଭିଡ଼ିଓ କରିବା ଉପରେ କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ବିପଦ ସଙ୍କୁଳ ଅବସ୍ଥାରେ କୌଣସି ନଦୀବନ୍ଧ ଏବଂ ବ୍ୟାରେଜ୍ ଉପରେ ଭିଡ଼ିଓ କଲେ ଫାଇନ୍ ଦେବାକୁ ପଡ଼ିବ ବୋଲି ଜିଲ୍ଲାପାଳ କଡ଼ା ଚେତାବନୀ ଦେଇଛନ୍ତି ।
କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବଳ କରିବାର ଆକଳନ କରିଛି ଜଳ ସମ୍ପଦ ବିଭାଗ । ତଳିଆ ଅଞ୍ଚଳ ଆଠଗଡ଼, ବଡମ୍ବା, ବାଙ୍କୀ, ନିଆଳି ଓ ମାହଙ୍ଗା ଆଦି ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପ୍ରବେଶ କରିବା ଆରମ୍ଭ କରିଛି । ଆଠଗଡ଼, ବାଙ୍କୀ ଓ କଟକ ସହର ନଦୀବନ୍ଧ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଲୋକେ ସେଠାରେ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦିଆଯିବ । ସେହିପରି ଉଦ୍ଧାର ପାଇଁ ବନ୍ୟାଞ୍ଚଳରେ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଭିଡ଼ିଓ ଓ ସେଲଫି ନ ବନାଇବାକୁ କଡ଼ା ଚେତାବନୀ ଦେଇଛି । ବର୍ତ୍ତମାନ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ କୌଣସି ବ୍ୟକ୍ତି ନଦୀ ବନ୍ଧ କିମ୍ବା ବ୍ୟାରେଜ୍ ଉପରେ ଭଡ଼ିଓ କରିପାରିବେ ନାହିଁ । ବାଲିଯାତ୍ରା ତଳ ପଡ଼ିଆ ପାଇଁ ମଧ୍ୟ ସମାନ କଟକଣା ଲାଗୁ କରାଯାଇଛି । ଏହାରି ମଧ୍ୟରେ ନରାଜ ବ୍ୟାରେଜ ଉପରେ ଠିଆ ହୋଇଥିବା ୩ ଗାଡି ଚାଳକଙ୍କୁ ଫାଇନ୍ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।