ବଲାଙ୍ଗୀର: ଲଗାତାର ପ୍ରବଳ ବର୍ଷା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର ଓ ତୁରେକେଲା ବ୍ଲକରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ରାତିସାରା ବର୍ଷା ପରେ ସହରର ମୁଖ୍ୟ ରାସ୍ତା, ବଜାର ଅଞ୍ଚଳ ଏବଂ ଆବାସିକ ଇଲାକାରେ ପାଣି ଜମି ରହିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ନିମ୍ନାଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ସହରର ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
କଣ୍ଟାବାଞ୍ଜିର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ରାସ୍ତା ଉପରେ ପାଣି ଜମି ରହିଛି। କଣ୍ଟାବାଞ୍ଜି–ତୁରେକେଲା ରାସ୍ତାର ଝାଙ୍କରପଡା ନିକଟରେ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ମନ୍ଥର ହୋଇପଡ଼ିଛି। ସକାଳେ କାର୍ଯ୍ୟାଳୟକୁ ଯାଉଥିବା ଲୋକ ଏବଂ ସ୍କୁଲ-କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଯାତାୟାତରେ ବିଭିନ୍ନ ସମସ୍ୟାର ସାମ୍ନା କରିଛନ୍ତି।
ଅନ୍ୟପଟେ, ତୁରେକେଲା ବ୍ଲକର ଅନେକ ଗ୍ରାମରେ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି। ପ୍ରବଳ ବର୍ଷାରେ ରାସ୍ତାଘାଟ କାଦୁଅରେ ପରିଣତ ହେବା ସହ ଅନେକ ସ୍ଥାନରେ କଲଭର୍ଟ ଭାଙ୍ଗି ଓ ରାସ୍ତା ଧୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ହଳନଭଟା–ଗୋଇନ୍ଦିମାଲ, କୁସପାଲି–ଗୋଇନ୍ଦିମାଲ, ହଳନଭଟା–ବରିଆଲି, କୁସପାଲି–ଗୁର୍ଜିଭଟା ଏବଂ ଗୋହିରାପଡା ରାସ୍ତାର ବିଭିନ୍ନ ସ୍ଥାନରେ କ୍ଷତି ଘଟିଛି। କମେଇମୁଣ୍ଡା ପଞ୍ଚାୟତର ମୁଖ୍ୟ ରାସ୍ତାର କଲଭର୍ଟ ଭାଙ୍ଗିଯିବା ସହ ଡମଣୀଛୁଆଁ–ଢୋଲମାନ୍ଦଲ ସଂଯୋଗକାରୀ ପୁଲିଆ ଧୋଇଯାଇଥିବାରୁ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।
ଏପରିକି କିଛି ଅଞ୍ଚଳରେ ଚାଷଜମିରେ ପାଣି ପଶି ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ସ୍ଥାନୀୟ ଲୋକମାନେ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଓ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ପାଇଁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ଏପଟେ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଜଳମଗ୍ନ ଓ ବନ୍ୟାପ୍ରବଣ ଅଞ୍ଚଳକୁ ଅନାବଶ୍ୟକ ନଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ଆଗାମୀ କିଛି ଦିନ ଆହୁରି ବର୍ଷାର ସମ୍ଭାବନା ଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି।