ନୂଆଦିଲ୍ଲୀ: ହକି ଇଣ୍ଡିଆର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ନୂତନ ଗେରୁଆ ରଙ୍ଗର ଜର୍ସି ପିନ୍ଧି ଏଫ୍ଆଇଏଚ୍ ବିଶ୍ୱ କପ୍ ମଇଦାନକୁ ଓହ୍ଲାଇବେ ଉଭୟ ପୁରୁଷ ଏବଂ ମହିଳା ଦଳ । ଏହି ନୂତନ ଜର୍ସି ଆସିବା ପରେ ବିବାଦ ଆରମ୍ଭ ହୋଇଯାଇଛି । ‘ନୀଳ’ ରଙ୍ଗକୁ ବଦଳାଇ ‘ଗେରୁଆ’ କରିବା ଉପରେ ଅନେକ ପ୍ରଶ୍ନ ଉଠିଛି । ଗୁରୁବାର ହକି ଇଣ୍ଡିଆ ଦଳ ପକ୍ଷରୁ ଏହା ସ୍ପଷ୍ଟୀକରଣ ଦିଆଯାଇଛି । ପଡ଼ିଆ (ପିଚ୍)କୁ ଲକ୍ଷ୍ୟ କରି ଏଭଳି ରଙ୍ଗ ରଖାଯାଇଥିବା ହକି ଇଣ୍ଡିଆ କହିଛି ।
ହକି ଇଣ୍ଡିଆ ଟିମ୍ ନୀଳ ଜର୍ସିକୁ ନେଇ ଉତ୍ପନ୍ନ ହେଉଥିବା ସମସ୍ୟା ସମ୍ପର୍କରେ କହିଛି । ହକି ଇଣ୍ଡିଆର ପୂର୍ବ ଜର୍ସି ନୀଳ ରଙ୍ଗର ଥିଲା ଏବଂ ସିନ୍ଥେଟିକ୍ ପିଚ୍ ରଙ୍ଗ ମଧ୍ୟ ନୀଳ ଥାଏ । ତେଣୁ ବୈଷୟିକ ଦୃଷ୍ଟିକୋଣରୁ ନୀଳ ଜର୍ସି ଯୋଗୁଁ ଖେଳାଳି ଚିହ୍ନଟ କରିବା ସମସ୍ୟା ଦେଖାଯାଇଥାଏ । ନିଜ ଦଳର ଖେଳାଳିଙ୍କୁ ଖେଳ ମଧ୍ୟରେ ସହଜରେ ଚିହ୍ନଟ କରି ହୁଏ ନାହିଁ । ତେଣୁ ଜର୍ସିର ରଙ୍ଗ ବଦଳାଇବାକୁ ଉଭୟ ଖେଳାଳି ଏବଂ କୋଚ୍ ପରାମର୍ଶ ଦେଇଥିଲେ । ଏହା ପରେ ସମସ୍ତଙ୍କୁ ନୀଳ ବଦଳରେ ଗେରୁଆ କିମ୍ବା ହଳଦିଆ କରିବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କ ନିକଟରେ କିଛି ରଙ୍ଗର ବିକଳ୍ପ ଦିଆଯାଇଥିବାବେଳେ ଖେଳାଳି ଏବଂ କୋଚ୍ ଗେରୁଆ ରଙ୍ଗକୁ ବାଛିଥିଲେ । ଏହା ସହିତ ଗେରୁଆ ରଙ୍ଗ ଆମ ଦେଶର ଜାତୀୟ ପତାକାରେ ମଧ୍ୟ ରହିଛି ଯାହା ସାହାସ, ବଳିଦାନ ଓ ଜାତୀୟ ଗୌରବର ପ୍ରତୀକ ଭାବେ ରହିଛି ।
ଏହା ସହିକ ହକି ଟିମ୍ ଆହୁରି କହିଛି ଯେ ଏହା କୌଣସି ନୂତନ ଘଟଣା ନୁହେଁ । ପୂର୍ବରୁ ବିଶ୍ୱ କପ୍ ବେଳେ ଜର୍ସିର ରଙ୍ଗ ଏବଂ ଡିଜାଇନରେ ପରିବର୍ତ୍ତନ କରାଯାଇଛି । ସମୟ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଆବଶ୍ୟକତା ଅନୁସାରେ ରଙ୍ଗରେ ପରିବର୍ତ୍ତନ କରାଯାଇଥାଏ ।
୨୦୧୪ ବିଶ୍ୱକପ୍ ସମୟରେ ହଳଦିଆ ଏବଂ ୨୦୧୮ ବିଶ୍ୱକପ୍ ସମୟରେ ଆକାଶୀ ନୀଳ ରଙ୍ଗର କରାଯାଇଥିଲା । ବର୍ତ୍ତମାନ ବୈଷୟିକ ସମସ୍ୟା ଯୋଗୁଁ ରଙ୍ଗରେ ପରିବର୍ତ୍ତନ କରାଯାଇଥାଏ ।