ନୂଆଦିଲ୍ଲୀ: ଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗାରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ କଡ଼କଡ଼ଡୁମା କୋର୍ଟ ରାୟ ଶୁଣାଇଛନ୍ତି । ଶୁକ୍ରବାର କୋର୍ଟ ପୂର୍ବତନ କାଉନସିଲର୍ ତାହିର ହୁସୈନ, ନାଜିମ, କାସିମ, ଜାବୈଦ ଓ ଅନସଙ୍କୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଅଦାଲତ ଏହାକୁ ଏକ ଗମ୍ଭୀର ମାମଲା ଭାବରେ ବର୍ଣ୍ଣନା କରିଛନ୍ତି । ଯାହା ସାରା ଦେଶକୁ ବିଚଳିତ କରିଦେଇଥିଲା । ତେବେ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲା । ଯାହାକୁ ଅଦାଲତରେ ଆଜୀବନ ଦଣ୍ଡରେ ସୀମିତ ରଖିଛନ୍ତି । ଗତ ୧୩ ଜୁଲାଇରେ କଡ଼କଡ଼ଡୁମା ଅଦାଲତ ଶୁଣାଣି କରି ଉପରୋକ୍ତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏକୁ ନେଇ ଏକ ବଡ଼ ଦଙ୍ଗା ହୋଇଥିଲା । ୧୭ ଫେବୃଆରୀ ରୁ ୨୩ ଫେବୃଆରୀ ଯାଏ ଏହି ଦଙ୍ଗା ଚାଲିଥିଲା । ଜାଫରାବାଦ, ମୌଜପୁର, ଚାନ୍ଦବାଗ, କରାବଲ ନଗର ଓ ଖଜୁରୀ ଖାସ ଅଞ୍ଚଳରେ ନିଆଁ ଜଳିଥିଲା । ଫଥର ମାଡ଼ ସହିତ ଚାରି ଆଡ଼େ ହିଂସାର ନିଆଁ ଜଳିଥିଲା । ଏହି ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମା ୨୫ ଫେବୃଆରୀରେ ଜରୁରୀ କାମରେ ଯାଉଥିବା ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହା ପରେ ତାଙ୍କ ସହିତ କୌଣସି ସମ୍ପର୍କ ହୋଇପାରିନ ଥିଲା । ପରଦିନ ଅର୍ଥାତ ୨୬ ଫେବୃଆରୀରେ ଏକ ନାଳରୁ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଲୋମ ଟାଙ୍କୁରା ଖୁଲାସା ହୋଇଥିଲା । ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରକୁ ଆଘାତ ଦିଆଯାଇଥିବା ଜଣାପଡ଼ିଥିଲା ।
ସେହି ସମୟରେ ଚାନ୍ଦବାଗରେ ତାହିର ହୁସୈନଙ୍କ ଘରର ଛାତ ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ଅଙ୍କିତଙ୍କ ବାପା ରବିନ୍ଦ୍ର କୁମାର ତାହିଲ ହୁସୈନ ଏବଂ ଅନ୍ୟ ମାନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ।
ଏହି ଅଭିଯୋଗ ଆଧାରରେ ତାହିର ହୁସୈନ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ତାହିର ହୁସୈନଙ୍କ ଛାତ ଉପରେ ବେଆଇନଭାବେ ପଥର, ପେଟ୍ରୋଲ ବୋମା ତିଆରି କରିବା ସାମଗ୍ରୀ, ଏସିଡ୍ ପ୍ୟାକେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ ହୋଇଥିଲା । ମୋଟ ୧୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।