ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ରାଜ୍ୟର ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ନକ୍ସଲ ଦମନ ସହ ବିକାଶ ଓ ଶିଳ୍ପାୟନ ନେଇ ବିସ୍ତୃତ ଆଲୋଚନା ହୋଇଛି।
ବୈଠକରେ ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଦିଗରେ ଚାଲିଥିବା ପଦକ୍ଷେପ ଏବଂ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଉଭୟ ନେତା ଆଲୋଚନା କରିଥିଲେ। ନକ୍ସଲ ଦମନରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଥିବା ଜଣାପଡ଼ିଛି।
ଏହାସହ ରାଜ୍ୟରେ ଚାଲିଥିବା ବନ୍ୟା ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ନେଇ ମଧ୍ୟ ରାଜ୍ୟ ପକ୍ଷରୁ ଆଲୋଚନା କରାଯାଇଛି। ବିକାଶ ସହ ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ର ଏବଂ ବନ୍ଦ ପଡ଼ିଥିବା ଚିନି କଳଗୁଡ଼ିକର ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଛନ୍ତି। ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପ, ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ପରିବହନ ଭିତ୍ତିଭୂମିକୁ ମଜବୁତ କରିବା ନେଇ ଆଲୋଚନା ହୋଇଛି।
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ନିରନ୍ତର ସହଯୋଗରେ ଓଡ଼ିଶା ସମୃଦ୍ଧ ଓ ବିକଶିତ ରାଜ୍ୟ ହେବା ଦିଗରେ ଆଗକୁ ବଢ଼ୁଛି। କେନ୍ଦ୍ର-ରାଜ୍ୟ ସମନ୍ୱୟ ଆହୁରି ବଢ଼ିଲେ ଭିତ୍ତିଭୂମି ବିକାଶ ଓ ରାଜ୍ୟର ସାମଗ୍ରିକ ବିକାଶକୁ ଅଧିକ ଗତି ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।