ନୂଆଦିଲ୍ଲୀ: ପୁଣି ଥରେ ପାକିସ୍ତାନ ନିଜର ଅସଲ ରୂପ ଦେଖାଇଛି । ଡ୍ରୋନ୍ ସାହାଯ୍ୟରେ ଭାରତ ଉପରେ ରଖୁଛି ନଜର । ଜମ୍ମୁ କାଶ୍ମୀର ସୀମାରେ ପଶି ଭିଡ଼ିଓ ଉତ୍ତୋଳନ କରୁଥିବା ଏକ ପାକିସ୍ତାନୀ ଡ୍ରୋନକୁ ଭାରତୀୟ ସେନା ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି । ଡ୍ରୋନଟି ଚୀନରୁ ନିର୍ମିତ ହୋଇଥିବା ଜଣାପଡ଼ିଛି । ଏହା ଭାରତୀୟ ସୀମାରେ ପଶି ନଜର ରଖୁଥିଲା ।
ଖୌର ସେକ୍ଟର ଚକଲା ଗ୍ରାମ ନିକଟରେ ଡ୍ରୋନକୁ ମାରିକି ତଳକୁ ଖସାଯାଇଛି । ଡ୍ରୋନରେ ହାଇ ରଜୋଲ୍ୟୁସନ୍ କ୍ୟାମେରା ଓ ୬୪ ଜିବି ମାଇକ୍ରୋ ଏସଡି କାର୍ଡ ଖଞ୍ଜା ଯାଇଥିଲା । ତତସିହତ ଜିମ୍ବଲ ଓ ଲେଜର୍ ଆଧାରିତ ନାଭିଗେସନ୍ ସିଷ୍ଟମ ରହିଛି । ଏହି ଡ୍ରୋନ୍ ଅତି କମ୍ ଉଚ୍ଚତାରେ ଉଡ଼ୁଥିବାରୁ ରାଡାର୍ ସିଷ୍ଟମରେ ସହଜରେ ଧରା ପଡ଼େ ନାହିଁ । କିନ୍ତୁ ଭାରତର ମଜବୁତ ଆଣ୍ଟି ଡ୍ରୋନ୍ ସିଷ୍ଟମ ଦ୍ୱାରା ଏହାକୁ ନିଷ୍କ୍ରିୟ କରାଯାଇଛି । ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଏଥିରେ ଭାରତର ଅନେକ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ତଥ୍ୟ ମହଜୁଦ ରହିଛି । ଏଲଓସିରେ ଥିବା ଭାରତୀୟ ସେନାର ଠିକଣା, ବଙ୍କର୍ ଓ ଅନ୍ୟାନ୍ୟ ସ୍ଥାନର ଭିଡ଼ିଓ ରହିଛି । ତେଣୁ ପାକିସ୍ତାନ ଜାଣିଶୁଣି ଏହାକୁ ଭାରତ ସୀମାକୁ ପଠାଇଥିବା ସ୍ପଷ୍ଟ ହୋଇଛି ।
ପୂର୍ବରୁ ପାକିସ୍ତାନର ଏଭଳି ହରକତ ସାମ୍ନାକୁ ଆସିଛି । ଜମ୍ମୁ କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନ ସୀମାରେ ପାକିସ୍ତାନ ଡ୍ରୋନ୍ ଜବତ କରାଯାଇଛି ।
ଅଧିକ ପଢ଼ନ୍ତୁ:- ଦିଲ୍ଲୀ ଦଙ୍ଗାରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲା: ତାହିର ହୁସୈନଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ