ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ ସମଗ୍ର ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି ଭୁବନେଶ୍ୱର ରେଳ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଥିବାବେଳେ ରାଷ୍ଟ୍ରପତିଙ୍କ ଯାତ୍ରାପଥରେ ସୁରକ୍ଷାକୁ ଆହୁରି କଡ଼ା କରାଯାଇଛି।
ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୁରକ୍ଷା ପ୍ରସ୍ତୁତିକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ, ସଡ଼କ ପଥ, ରେଳପଥ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଅଗଷ୍ଟ ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସର, ରେଳ ଲାଇନ ଏବଂ ସମଗ୍ର ଯାତ୍ରାପଥରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ରେଳ ଟ୍ରାକ୍ରେ ନିୟମିତ ପାଟ୍ରୋଲିଂ ସହ ପ୍ରତ୍ୟେକ ଲେଭେଲ୍ କ୍ରସିଂରେ ଅତିରିକ୍ତ ପୋଲିସ ମୁତୟନ କରାଯିବ।
ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଓ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ସାନଖେମୁଣ୍ଡି ବ୍ଲକର ତପ୍ତପାଣିସ୍ଥିତ ମା' କାନ୍ଧୁଣୀ ଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସହ ସେଠାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।
ଡିଜିପି ୱାଇ.ବି. ଖୁରାନିଆ କହିଛନ୍ତି, ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଯାତ୍ରାପଥରେ ଟେକ୍ନିକାଲ ଯାଞ୍ଚ, ସିସିଟିଭି ନଜରଦାରି, ସୁରକ୍ଷା ବଳର ମୁତୟନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇଛି।
ଏଥିସହ ଷ୍ଟେସନରେ ଡ୍ୟୁଟିରେ ରହିବାକୁ ଥିବା ରେଳ କର୍ମଚାରୀଙ୍କ ପରିଚୟ ଯାଞ୍ଚ କରାଯାଉଛି। କେବଳ ଅନୁମୋଦିତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ୟୁଟି ପାସ୍ ଦିଆଯିବ। ଓଡ଼ିଶା ପୋଲିସ, ଭାରତୀୟ ରେଳବାଇ ଓ ରାଜ୍ୟ ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ପ୍ରସ୍ତୁତ ହୋଇଛନ୍ତି।