ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବେଶ ଉତ୍ସାହ ଓ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଛି ସମ୍ବଲପୁରୀ ଦିବସ। ସମ୍ବଲପୁରୀ ଭାଷା, ସଂସ୍କୃତି, ଲୋକକଳା ଓ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଲୋକମାନେ ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ପୋଷାକ ପରିଧାନ କରିଥିଲେ। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଖାଦ୍ୟର ଆୟୋଜନ କରାଯାଇଛି।
ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଭାଷାର ବିଶିଷ୍ଟ ପଣ୍ଡିତ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ। ୧୯୧୩ ମସିହାରେ ସେ ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସେ ଜୀବନସାରା କାମ କରିଥିଲେ।
ଗୁରୁ ସତ୍ୟନାରାୟଣ ବୋହିଦାର ‘ସମ୍ବଲପୁରୀ ଭାଷାକୋଷ’ ରଚନା କରିଥିଲେ, ଯାହା ସମ୍ବଲପୁରୀ ଭାଷାର ପ୍ରଥମ ଅଭିଧାନ ଭାବେ ପରିଚିତ। ଏହା ବ୍ୟତୀତ ସେ ‘ଟିକ୍ ଚାହଁରା’, ‘ଘୁଭକୁଡୁ’ ଓ ‘ଘାଭଘାଭୋ’ ପରି ଅନେକ ସାହିତ୍ୟ କୃତି ରଚନା କରି ସମ୍ବଲପୁରୀ ସାହିତ୍ୟକୁ ସମୃଦ୍ଧ କରିଥିଲେ। ୧୯୮୦ ମସିହା ଡିସେମ୍ବର ୩୧ରେ ତାଙ୍କର ପରଲୋକ ଘଟିଥିଲା।
ବର୍ତ୍ତମାନ ସମ୍ବଲପୁରୀ ଭାଷା ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ସମେତ ନଅଟି ଜିଲ୍ଲାରେ ବ୍ୟାପକ ଭାବେ କୁହାଯାଏ। ଏହି ଭାଷା ଏବଂ ଏହାର ଲୋକସଂସ୍କୃତି ପଶ୍ଚିମ ଓଡ଼ିଶାର ପରିଚୟ ଭାବେ ଗଣାଯାଏ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସମ୍ବଲପୁରୀ ଭାଷା, ଲୋକକଳା, ସଙ୍ଗୀତ, ନୃତ୍ୟ, ହ୍ୟାଣ୍ଡଲୁମ୍ ଓ ପରମ୍ପରା ଓଡ଼ିଶାର ଗର୍ବ ଏବଂ ପରିଚୟ। ଏହି ଐତିହ୍ୟକୁ ସମସ୍ତେ ସୁରକ୍ଷିତ ରଖି ଆଗକୁ ନେବାକୁ ସେ ଆହ୍ୱାନ କରିଛନ୍ତି।
ସେହିପରି ବିରୋଧୀ ଦଳନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ବଲପୁରୀ ଦିବସର ଅଭିନନ୍ଦନ ଜଣାଇଛନ୍ତି।