ଭୁବନେଶ୍ୱର: ରାଜ୍ୟରେ ନିକଟରେ ହୋଇଥିବା ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି। ସରକାରୀ ଆକଳନ ଅନୁଯାୟୀ, ବନ୍ୟାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ରହିଛି। ରାଜ୍ୟର ୬୩ଟି ବ୍ଲକର ୪୯୨ଟି ଗ୍ରାମ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୮ ଲକ୍ଷରୁ ଅଧିକ ଲୋକ ଏହାର ସିଧାସଳଖ ପ୍ରଭାବରେ ଆସିଛନ୍ତି। ଅନେକ ଅଞ୍ଚଳ ଦୀର୍ଘ ସମୟ ଧରି ଜଳବନ୍ଦୀ ରହିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ବନ୍ୟା ଯୋଗୁଁ ପ୍ରାୟ ୩୩ ହଜାର ୪୫୦ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ଫଳରେ ହଜାର ହଜାର ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେହିପରି ବନ୍ୟାରେ ୧୧୩୨ଟି ଘର ଭାଙ୍ଗିଯାଇଥିବା ନେଇ ପ୍ରାଥମିକ ଆକଳନ କରାଯାଇଛି। ଅନେକ ପରିବାର ଘର ହରାଇ ରିଲିଫ୍ ସେଣ୍ଟରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୫୧ ହଜାରରୁ ଅଧିକ ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ପ୍ରଭାବିତଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୨୭ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୨ ଲକ୍ଷ ୫୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି।
ସରକାର କହିଛନ୍ତି, ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପରେ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରାଯିବ। ଏହାପରେ ପ୍ରଭାବିତ ପରିବାର ଓ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ। ବର୍ତ୍ତମାନ ମଧ୍ୟ ଅନେକ ଅଞ୍ଚଳରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଜାରି ରହିଛି।