ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସକ୍ରିୟ ହୋଇଛି ଚୋର ଗ୍ୟାଙ୍ଗ। କିଛି ଦିନର ନୀରବତା ପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏକ ବଡ଼ ଧରଣର ଲୁଟ୍ ଘଟଣା। ଦୁର୍ବୃତ୍ତମାନେ ଜଣେ ବିଲଡରଙ୍କ ଘରର ତାଲା ଭାଙ୍ଗି ପ୍ରାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ନିଜ ଅପରାଧର ପ୍ରମାଣ ଲୁଚାଇବା ପାଇଁ ସିସିଟିଭିର ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି।
ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ବିଲଡର ପ୍ରିତମ ଜେନା ପରିବାର ସହ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଘରେ ଥିବା ନଗଦ ଟଙ୍କା, ସୁନା ଗହଣା, ଦାମୀ ସାମଗ୍ରୀ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଲୁଟି ନେଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ପ୍ରିତମ ଜେନାଙ୍କ ଡ୍ରାଇଭର ଗାଡ଼ି ରଖିବା ପାଇଁ ଘରକୁ ଫେରିଥିଲେ। ସେ ଘରର କବାଟ ଭଙ୍ଗା ଥିବା ଦେଖି ସଙ୍ଗେସଙ୍ଗେ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘରକୁ ପହଞ୍ଚି ଦେଖିବା ବେଳକୁ ଘର ଭିତରେ ସବୁ ସାମଗ୍ରୀ ଅସ୍ତବ୍ୟସ୍ତ ଅବସ୍ଥାରେ ପଡ଼ିଥିଲା ଏବଂ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଥିଲା।
ପ୍ରାଥମିକ ଆକଳନ ଅନୁସାରେ ଲୁଟ୍ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ। ଦୁର୍ବୃତ୍ତମାନେ ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଥିବାରୁ ପୂର୍ବରୁ ଯୋଜନା କରି ଲୁଟ୍ କରାଯାଇଥିବା ସନ୍ଦେହ କରାଯାଉଛି।
ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଚୋର ଗ୍ୟାଙ୍ଗକୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଘଟଣା ପରେ ରାଜଧାନୀରେ ଆଇନ-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।