ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନର ନାମକୁ ମାନକ ଭାରତୀୟ ମାନଚିତ୍ରରେ ସାମିଲ କରାଯିବା ପରେ ବିଳିବିଳେଇ ହୋଇ ଉଠିଛି ଚୀନ୍। ଭାରତର ଏହି ପଦକ୍ଷେପକୁ ଚୀନ୍ ବେଆଇନ ଏବଂ ଅଗ୍ରାହ୍ୟ ବୋଲି କହିବା ସହ ନିଜର ପ୍ରତିକ୍ରିୟା ରଖିଛି। ଅନ୍ୟପକ୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚୀନ୍କୁ ଦୃଢ ଜବାବ ଦିଆଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ ଅଙ୍ଗ ଏବଂ କୌଣସି ପରିସ୍ଥିତିରେ ବି ଏହି ଅଟଳ ବାସ୍ତବତାକୁ କେହି ବଦଳାଇ ପାରିବେ ନାହିଁ।
ଭାରତର କଡ଼ା ପଦକ୍ଷେପ: ୨୭ଟି ସ୍ଥାନର ନାମ ପଞ୍ଜୀକୃତ
ଚୀନ୍ ଦ୍ୱାରା କ୍ରମାଗତ ଭାବେ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ନିଜ ମନମୁତାବକ ବଦଳାଯାଉଥିବା ପ୍ରତିବାଦରେ ଭାରତ ଗତ ସପ୍ତାହରେ ଏହାର କଡ଼ା ଜବାବ ଦେଇଛି। ଭାରତୀୟ ସରକାର ରାଜ୍ୟର ୨୭ଟି ପ୍ରମୁଖ ସ୍ଥାନ ଏବଂ ଭୌଗଳିକ ବିଶେଷତାଗୁଡ଼ିକୁ ସରକାରୀ ଭାରତୀୟ ମାନଚିତ୍ରରେ ସେମାନଙ୍କର ପ୍ରକୃତ ନାମ ସହ ସାମିଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରୁ ଚୀନ୍ ସରକାରଙ୍କ ନାଗରିକ ବ୍ୟାପାର ମନ୍ତ୍ରାଳୟ ସେହି ଅଞ୍ଚଳରେ ନିଜର ମିଥ୍ୟା ଦାବି ଜାହିର୍ କରିବା ପାଇଁ ଅରୁଣାଚଳର ବିଭିନ୍ନ ସ୍ଥାନ ପାଇଁ ମନଗଢ଼ା ଚୀନୀ ନାମ ଜାଣିଶୁଣି ଜାରି କରିଆସୁଛି। ଏପରିକି ଗତ ଏପ୍ରିଲ ମାସରେ ମଧ୍ୟ ଏଭଳି ଏକ ତାଲିକା ପ୍ରକାଶ କରିଥିଲେ। କିନ୍ତୁ ଭାରତ ସର୍ବଦା ଚୀନ୍ର ଏଭଳି ଅମୂଳକ ଏବଂ ଅର୍ଥହୀନ ଦାବିକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଆସିଛି।
ସୋମବାର ଚୀନ୍ ପକ୍ଷରୁ ଭାରତର ଏହି ପଦକ୍ଷେପକୁ ବେଆଇନ ବୋଲି ଅଭିହିତ କରାଯାଇଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି ଯେ, ଚୀନ୍ ଭାରତ ଦ୍ୱାରା ସ୍ଥାପିତ କଥିତ ଅରୁଣାଚଳ ପ୍ରଦେଶକୁ ସ୍ୱୀକାର କରେ ନାହିଁ ଏବଂ ଜାଙ୍ଗନାନ୍ ଅଞ୍ଚଳ ଚୀନ୍ର ଅଂଶ ବୋଲି ସେ ଦାବି ଦୋହରାଇଛନ୍ତି।
ଅନ୍ୟପକ୍ଷରେ ଚୀନ୍ର ସରକାରୀ ଗଣମାଧ୍ୟମ 'ଗ୍ଲୋବାଲ ଟାଇମ୍ସ' ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ, ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆସୁଥିବା ବେଳେ ଭାରତର ଏପରି ଏକପାଖିଆ ପଦକ୍ଷେପ ସୀମାନ୍ତରେ ପରିସ୍ଥିତିକୁ ବିଗାଡ଼ି ପାରେ। ତେବେ ଭାରତ ପୂର୍ବଭଳି ନିଜର ଆଭିମୁଖ୍ୟରେ ଦୃଢ଼ ରହି ସ୍ପଷ୍ଟ କରିଛି ଯେ ଅରୁଣାଚଳ ସର୍ବଦା ଭାରତର ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ।