ନୂଆଦିଲ୍ଲୀ:ପୂର୍ବତନ ଜୁନିୟର୍ ନ୍ୟାସନାଲ୍ ରେସଲିଂ ଚାମ୍ପିୟନ୍ ସାଗର ଧନଖଡ଼ ହତ୍ୟା ମାମଲାରେ ଅଲିମ୍ପିକ୍ ପଦକ ବିଜେତା ତଥା ପ୍ରସିଦ୍ଧ ପହଲୱାନ୍ ସୁଶୀଲ କୁମାରଙ୍କୁ ବଡ଼ ଝଟକା। ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।
ବିଚାରପତି ପୁରୁଷୋତ୍ତମ କୁମାର ଗତ ଅଗଷ୍ଟ ୬ ତାରିଖରେ ଶୁଣାଣି କରିବା ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୁଶୀଲ ଜାମିନରେ ବାହାରକୁ ଆସିଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ଗିରଫ ହେବା ପୂର୍ବରୁ ତାଙ୍କର ଆଚରଣ ତଥା ଅପରାଧର ଗମ୍ଭୀରତାକୁ ଆଖିରେ ରଖି କୋର୍ଟ ଏହି କଡ଼ା ପଦକ୍ଷେପ ନେଇଛନ୍ତି।
କୋର୍ଟ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ସାଧାରଣତଃ ଜାମିନ ମିଳିବା ନିୟମ ଏବଂ ଜେଲ୍ ଯିବା ଅପବାଦ ହୋଇଥିଲେ ମଧ୍ୟ, ଏହି ମାମଲାରେ ଅପରାଧଟି ପୂର୍ବରୁ ଯୋଜନାବଦ୍ଧ ଭାବେ ଏବଂ ଅତ୍ୟନ୍ତ ନିର୍ମମ ଭାବେ କରାଯାଇଥିଲା, ଯାହାଫଳରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ସମୟରେ ଜବତ ହୋଇଥିବା ମାରଣାସ୍ତ୍ର, ଭିଡିଓ ପ୍ରମାଣ ଏବଂ ଅନ୍ୟାନ୍ୟ ଜରୁରୀ ତଥ୍ୟଗୁଡ଼ିକ ଅପରାଧର ଗାମ୍ଭୀର୍ଯ୍ୟକୁ ପ୍ରମାଣିତ କରୁଛି। ଦିଲ୍ଲୀ ପୋଲିସ ଏବଂ ମୃତକଙ୍କ ପିତା ମଧ୍ୟ ଏହି ଜାମିନ ଆବେଦନକୁ ଦୃଢ଼ ବିରୋଧ କରିଥିଲେ।
କୋର୍ଟ କହିଛନ୍ତି ଯେ ସୁଶୀଲ କୁମାରଙ୍କ ସମାଜରେ ବେଶ୍ ପ୍ରଭାବ ରହିଛି ଏବଂ ପୂର୍ବରୁ ଯେତେବେଳେ ବି ତାଙ୍କୁ ଅସ୍ଥାୟୀ ଜାମିନ ମିଳିଥିଲା, ସେତେବେଳେ ସାକ୍ଷୀମାନେ ନିଜ ବୟାନରୁ ଓହରିଯାଇଥିଲେ। ସୁଶୀଲ କୁମାରଙ୍କୁ ପ୍ରଥମେ ମଇ 2021 ମସିହାରେ ପୋଲିସ ଗିରଫ କରିଥିଲା। ପରେ 19 ଜୁଲାଇ 2023ରେ ସେ ଅନ୍ତର୍ଜାମିନ ପାଇଥିବା ବେଳେ, ସୁପ୍ରିମକୋର୍ଟ 13 ଅଗଷ୍ଟ 2025ରେ ହାଇକୋର୍ଟର ଜାମିନ ନିର୍ଦ୍ଦେଶକୁ ରଦ୍ଦ କରିଦେଇଥିଲେ।