ନୂଆଦିଲ୍ଲୀ:ବିଦେଶୀ ଅଂଶଦାନଆଇନ ବା FCRA ସଂଶୋଧନ ବିଲ୍କୁ ନେଇ ଦେଶବ୍ୟାପୀ ଜାରି ପ୍ରବଳ ବିରୋଧ ଓ ହଙ୍ଗାମା ଭିତରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂଚନା ମୁତାବକ, ସରକାର ଏହି ବିବାଦୀୟ ବିଲ୍କୁ ଏକ ଯୁଗ୍ମ ସଂସଦୀୟ କମିଟି (JPC) ନିକଟକୁ ପଠାଇବାକୁ ସ୍ଥିର କରିଛନ୍ତି। ଏହାପୂର୍ବରୁ ରାଜ୍ୟସଭା ବ୍ୟବସାୟ ପରାମର୍ଶଦାତା କମିଟି (BAC) ବୈଠକରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ଏହି ବିଲ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।
ଏଫସିଆରଏ ବିଲ୍କୁ ବିରୋଧ କରି ତାମିଲନାଡୁ ବିଧାନସଭାରେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପାରିତ କରାଯାଇଛି। କେନ୍ଦ୍ର ସରକାର ଏହି ବିଲ୍କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ପ୍ରସ୍ତାବରେ ଅନୁରୋଧ କରାଯାଇଛି। ଏହି ସଂଶୋଧନ ଦ୍ୱାରା ସଂଗଠନଗୁଡ଼ିକ, ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଶିକ୍ଷାଗତ ଏବଂ ସମାଜ କଲ୍ୟାଣ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା ପ୍ରଭାବିତ ହେବ ବୋଲି ସେଥିରେ ଦର୍ଶାଯାଇଛି।
ସେପଟେ ମିଜୋରାମର ରାଜଧାନୀ ଆଇଜଲରେ ହଜାର ହଜାର ସଂଖ୍ୟାରେ କ୍ରିଷ୍ଟିଆନ୍ ସମ୍ପ୍ରଦାୟର ଲୋକମାନେ ଏହି ବିଲ୍ ବିରୋଧରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ମିଜୋରାମର ମୁଖ୍ୟ ଚର୍ଚ୍ଚଗୁଡ଼ିକର ସଂଘ 'କାଉନସିଲ୍ ଅଫ୍ ଚର୍ଚ୍ଚେସ୍' (CCM) ର ଆହ୍ୱାନ କ୍ରମେ ଏହି ପ୍ରଦର୍ଶନ କରାଯାଇଥିଲା। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରୀଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି FCRA ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଆଇନରେ ପରିବର୍ତ୍ତନ ହେଲେ ଚର୍ଚ୍ଚ ଏବଂ ଖ୍ରୀଷ୍ଟିଆନ ସାମାଜିକ ସଂସ୍ଥାଗୁଡ଼ିକ ଉପରେ ଅତିରିକ୍ତ ବୋଧ ପଡ଼ିବ ବୋଲି ସେ ଦର୍ଶାଇଛନ୍ତି।
ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଏବଂ ଆଗାମୀ ପଦକ୍ଷେପ
ଏଫସିଆରଏ ବିଲ୍କୁ ମୁଖ୍ୟତଃ କ୍ରିଷ୍ଟିଆନ୍ ସମ୍ପ୍ରଦାୟ ଏବଂ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କ୍ରମାଗତ ଭାବେ ବିରୋଧ କରାଯାଉଛି। ଚଳିତ ବର୍ଷ ଜୁନ୍ ମାସରେ ସରକାର ବିଦେଶୀ ପାଣ୍ଠି ଗ୍ରହଣ ନିୟମରେ କିଛି ପରିବର୍ତ୍ତନ କରିଥିଲେ, ଯେଉଁଥିରେ ଏନଜିଓ (NGOs) ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷେତ୍ର ଚୟନ କରିବା ବାଧ୍ୟତାମୂଳକ କରାଯାଇଥିଲା।
ଏହି ଏଫସିଆରଏ ସଂଶୋଧନ ବିଲ୍, ୨୦୨୬ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ଲୋକସଭାରେ ଆସିଥିଲା ଏବଂ ସଂସଦର ଚାଲିଥିବା ମନସୁନ୍ ଅଧିବେଶନରେ ଏହାକୁ ପାର୍ତ କରାଇବାକୁ ଯୋଜନା ଥିଲା। କିନ୍ତୁ ବିରୋଧୀଙ୍କ ଦୃଢ଼ ବିରୋଧ ଏବଂ ହଙ୍ଗାମାକୁ ଦୃଷ୍ଟିରେ ରଖି ସରକାର ଏହାକୁ ଜେପିଏସି (JPC) କୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।