ମୁମ୍ବାଇ: ବଲିଉଡରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ମା’ ତଥା ବଙ୍ଗୀୟ କଣ୍ଠଶିଳ୍ପୀ କୃଷ୍ଣା ମୁଖାର୍ଜୀଙ୍କର ପରଲୋକ ଘଟିଛି । ମଙ୍ଗଳବାର ଅପରାହ୍ନରେ ସେ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପରିବାର ପକ୍ଷରୁ ଏ ନେଇ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
ପରିବାର ପକ୍ଷରୁ ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ବିବୃତିରେ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରାଯାଇ କୁହାଯାଇଛି ଯେ, "ଅତ୍ୟନ୍ତ ଦୁଃଖର ସହ ଆମେ ଜଣାଉଛୁ ଯେ ଆଜି ଅପରାହ୍ନରେ ରାଣୀ ମୁଖାର୍ଜୀଙ୍କ ମା’ ଶ୍ରୀମତୀ କୃଷ୍ଣା ମୁଖାର୍ଜୀ (୭୫)ଙ୍କ ପରଲୋକ ଘଟିଛି। ଏହି କଠିନ ସମୟରେ ଆପଣଙ୍କ ଭଲପାଇବା, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ପରିବାର କୃତଜ୍ଞ ଏବଂ ଏହି ଶୋକାକୁଳ ମୁହୂର୍ତ୍ତରେ ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରୁଛି।"
କୃଷ୍ଣା ମୁଖାର୍ଜୀ, ବଙ୍ଗଳା ଚଳଚ୍ଚିତ୍ର ଜଗତରେ ଜଣେ ଆଗଧାଡ଼ିର ପ୍ରଚ୍ଛଦ ପଟ ଗାୟିକା ଥିଲେ। ୧୯୮୨ ମସିହାରେ, ସେ 'ତୀସରୀ ଆଁଖ' (Teesri Aankh) ଚଳଚ୍ଚିତ୍ରରେ "ଇଦ୍ କେ ଦିନ୍ ଗଲେ ମିଲ୍ ଲେ ରାଜା" ଗୀତରେ ନିଜର କଣ୍ଠଦାନ କରିଥିଲେ, ଯାହା ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ସେ ଅନେକ ବଙ୍ଗୀୟ ଚଳଚ୍ଚିତ୍ର ମଧ୍ୟ କଣ୍ଠଦାନ କରିଛନ୍ତି ।
କୃଷ୍ଣା ମୁଖାର୍ଜୀ ଚଳଚ୍ଚିତ୍ର ନିର୍ମାତା ରାମ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ରାଣୀଙ୍କ ବାପା ୨୦୧୭ ମସିହାରେ ଦେହ ତ୍ୟାଗ କରିଛନ୍ତି । ରାଣୀଙ୍କ ଅଭିନୟ ପଛରେ ତାଙ୍କର ବଡ଼ ହାତ ରହିଛି । ରାଣୀଙ୍କ ମାଆ ହିଁ ତାଙ୍କୁ ଫିଲ୍ମ ଦୁନିଆକୁ ଆସିବାରେ ସବୁଠାରୁ ଅଧିକ ପ୍ରେରଣା ଦେଇଥିଲେ ।