ନୂଆଦିଲ୍ଲୀ: ପୁଣି ଥରେ ବିସ୍ଫୋରଣରେ ଦୋହଲିଛି ପାକିସ୍ତାନ । ଶୁକ୍ରବାର ଖୈବର ପଖତୁନଖ୍ୱାର କୋହାଟ୍ ଜିଲ୍ଲା ଅନ୍ତର୍ଗତ ପୋଲିସ ଲାଇନ୍ସ ଅଞ୍ଚଳରେ ଥିବା ଏକ ମସଜିଦ୍ ନିକଟରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆଫଗାନିସ୍ତାନ ସୀମାକୁ ଲାଗିକରି ଥିବା କୋହାଟରେ ଏକ ମସଜିଦ ନିକଟରେ ନମାଜ ଚାଲିଥିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ନମାଜ ପାଠ କରୁଥିବା ୬୦ରୁ ୭୦ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୧୬ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛି । ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଏବଂ ୧୧ ସାଧାରଣ ନାଗରିକ ଥିବା ବରିଷ୍ଠ ଅଧିକାରୀ ଜୁଲଫିକର୍ ହାମିଦ ସୂଚନା ଦେଇଛନ୍ତି ।
ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ତାହିର୍ ଅଲି ଶାହ ସୂଚନା ଦେଇଛନ୍ତି ଯେ ୧୫ଟି ମୃତ ଦେହ ଓ ୫୦ ଗୁରୁତର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦର ଛାତ ଭୁଶୁଡ଼ି ପଡ଼ିଥିଲା । ତେବେ କୌଣସି ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାଁନ୍ତି ।