ବାଲେଶ୍ୱର : ଆରଟିଓ ଅଧିକାରୀ ବୋଲି ପରିଚୟ ଦେଇ ଦୀର୍ଘ ଦିନ ଧରି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଜଳେଶ୍ୱର ପୋଲିସ ଗିରଫ କରିଛି। ଅଭିଯୋଗ ପରେ ତଦନ୍ତ କରି ପୋଲିସ ତାଙ୍କ ନିକଟରୁ ବହୁ ନକଲି RTO ରସିଦ, ନକଲି ନୋଟାରୀ ସିଲ୍ ଓ ନକଲି ପଶ୍ଚିମବଙ୍ଗ ସରକାରୀ ଷ୍ଟାମ୍ପ ପେପର ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ନିଜକୁ ପରିବହନ ବିଭାଗ ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ ରହିଛି। ବିଶେଷକରି ଗାଡ଼ି ସମ୍ପର୍କିତ ଜରିମାନା, ରସିଦ ଓ ବିଭିନ୍ନ କାଗଜପତ୍ର କରାଇଦେବା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ପୋଲିସ ନିକଟରେ ପହଞ୍ଚିଥିଲା। ଏହା ପରେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା।
ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ Epson L6270 ପ୍ରିଣ୍ଟର, ଏକ ସବୁଜ ରଙ୍ଗର ଇଲେକ୍ଟ୍ରିକ୍ ବ୍ଲୋଅର, Luminous LB 600 Pro UPS, HOIN HOP-H58 ଥର୍ମାଲ୍ ରସିଦ ପ୍ରିଣ୍ଟର, Zebronics ZEB-A24UF HD LED ମନିଟର, CPU, Logitech କୀ-ବୋର୍ଡ, Zebronics ମାଉସ୍, ମଲ୍ଟିପୋର୍ଟ ହବ୍ ଓ ଏକ୍ସଟେନସନ୍ ବୋର୍ଡ ଜବତ କରାଯାଇଛି। ଏହା ସହିତ ଏକ ସ୍ମାର୍ଟ ଫୋନ୍ ମଧ୍ୟ ପୋଲିସ ଜବତ କରିଛି। ମୋବାଇଲ୍ଟିରେ ଦୁଇଟି ସିମ୍ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଏଥିସହିତ ଚାରିଟି ଚାବି, ଏକ ମୋଟରସାଇକେଲ୍ ଚାବି ଓ ଏକ ମୋଟରସାଇକେଲ୍ ଷ୍ଟୋରେଜ୍ ବକ୍ସ ଚାବି ମଧ୍ୟ ଜବତ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୦ଟି ସନ୍ଦେହଜନକ ନକଲି/ଜାଲ୍ ପଶ୍ଚିମବଙ୍ଗ RTO ଫାଇନ୍ ଓ ରସିଦ ସ୍ଲିପ୍, ୨ଟି ସନ୍ଦେହଜନକ ନକଲି ନୋଟାରୀ ସିଲ୍/ଷ୍ଟାମ୍ପ ଏବଂ ୧୫ଟି ସନ୍ଦେହଜନକ ଜାଲ୍ ପଶ୍ଚିମବଙ୍ଗ ସରକାରୀ ଷ୍ଟାମ୍ପ ପେପର ଜବତ କରିଛି।
ଏହି ସମସ୍ତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତ କେତେ ଦିନ ଧରି ଏଭଳି କାରବାର କରୁଥିଲା, ତାଙ୍କ ସହ ଆଉ କେହି ଜଡିତ ଅଛନ୍ତି କି ନାହିଁ ଏବଂ ଏହି ନକଲି କାଗଜପତ୍ର କେଉଁଠାରେ ତିଆରି ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।