ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ସାରା ଦେଶରେ ପାଳିତ ହେଉଛି ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମାଝୀ, ଏକ୍ସରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୋଷ୍ଟ କରିଛନ୍ତି, “ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଚ୍ଛତା, ସ୍ୱଦେଶୀ ଓ ଆତ୍ମନିର୍ଭରତାର ମହାନ ଆଦର୍ଶ ତଥା ନୈତିକ ମୂଲ୍ୟବୋଧ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଚିରକାଳ ଆମକୁ ମାର୍ଗଦର୍ଶନ କରୁଥିବ।”
ସେହିପରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କର ସରଳ ଜୀବନାଦର୍ଶ, ସ୍ୱଦେଶୀ ଚିନ୍ତାଧାରା ଓ ନିଷ୍ଠାପର ନେତୃତ୍ୱ ଦେଶକୁ ପ୍ରଗତିର ମାର୍ଗରେ ଆଗେଇ ନେବା ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।”
ଓଡ଼ିଶାକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଆଜିଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଓଡ଼ିଶାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଉଦ୍ଦେଶ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଉଛି ୪୪ ଦିନ ବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଶୁ ଶ୍ରମିକ ଏକ ସାମାଜିକ ବ୍ୟାଧି । ଯାହା ଶିଶୁଙ୍କ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିଥାଏ । ରାଜ୍ୟକୁ ଶିଶୁ ଶ୍ରମିକ ଭଳି କୁପ୍ରଥାରୁ ମୁକ୍ତ କରିବା ଦାୟିତ୍ୱ ନୁହେଁ ସାମାଜିକ କର୍ତ୍ତବ୍ୟ । ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହୋଇ ଏକ ଶିଶୁ ଶ୍ରମ ମୁକ୍ତ ତଥା ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗୀ ହେବାପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।