ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଗୋଟିଏ ଦିନରେ ଦୁଇ ମହାନ ଆତ୍ମାଙ୍କ ଜୟନ୍ତୀ ପାଳୁଛି ସାରା ଦେଶ । ଯେଉଁମାନେ ଦେଶକୁ ସ୍ୱାଧୀନ କରିବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଏହା ସହିତ ଏହି ଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି ।
୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ମୋହନଦାସ କରମଚାନ୍ଦ ଗାନ୍ଧୀ ଗୁଜରାଟ କାଠିଆୱାର ଉପଦ୍ୱୀପର ଏକ ଉପକୂଳବର୍ତ୍ତୀ ସହର ପୋରବନ୍ଦରର ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଇଂରେଜ କବଳରୁ ଭାରତକୁ ସ୍ୱାଧୀନ କରିବାକୁ ଅହିଂସାର ପଥ ଆପଣାଇଥିଲେ । ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରିବାକୁ ଦେଇଥିଲେ ପ୍ରେରଣା । ଗାନ୍ଧୀଙ୍କ ନେତୃତ୍ୱରେ ଅନେକ ସ୍ୱାଧୀନତା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସେଥିମଧ୍ୟରେ ଚମ୍ପାରଣ ଆନ୍ଦୋଳନ, ଖେଡ଼ା ଆନ୍ଦୋଳନ, ଖିଲାଫତ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ଅନ୍ୟତମ ।
୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟା ୫ଟା ୧୭ ମିନିଟରେ ଗାନ୍ଧୀ ତାଙ୍କ ନାତୁଣୀମାନଙ୍କ ସହ ବିର୍ଲା ହାଉସ ବଗିଚାରେ ଏକ ପ୍ରାର୍ଥନା ସଭାକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ହିନ୍ଦୁ ଜାତୀୟତାବାଦୀ ନାଥୁରାମ ଗଡସେ ନିକଟରେ ଥିବା ପିସ୍ତଲରୁ ତାଙ୍କ ଛାତିରେ ତିନୋଟି ଗୁଳି ମାଡ଼ କରିଥିଲେ । ଏହା ପରେ ଗାନ୍ଧୀଜୀ ‘ହା ରାମ୍’ କହି ଟଳିପଡ଼ିଥିଲେ ।
ସେହିପରି ଆଜି ହେଉଛି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଉତ୍ତର ପ୍ରଦେଶର ମୋଗଲସରାଇଠାରେ 1904 ମସିହା ଅକ୍ଟୋବର 2 ତାରିଖରେ ଦିନ ଜନ୍ମଗ୍ରହଣ କରିଥିଲେ । ମୋଗଲସରାଇ ଏକ ରେଳ ଟାଉନ୍ ଓ ଏହା ବାରାଣାସୀଠାରୁ ମାତ୍ର ସାତ ମାଇଲ ଦୂରେ ଅବସ୍ଥିତ । ତାଙ୍କ ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ ଓ ଲାଲ ବାହାଦୂରଙ୍କୁ ଯେତେବେଳେ ମାତ୍ର ଦେଢ଼ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । 1930 ମସିହାରେ ମହାତ୍ମା ଗାନ୍ଧୀ ଦାଣ୍ଡି ଉପକୂଳରେ ସମୁଦ୍ର ତଟକୁ ଆରମ୍ଭ କରିଥିଲେ ଐତିହାସିକ ଯାତ୍ରା ଏବଂ ବ୍ରିଟିଶ ଆଇନ ଭଙ୍ଗ କରି ଲୁଣ ଉତ୍ତୋଳନ କରିଥିଲେ । ଏହି ସାଂକେତିକ ଲୁଣ ମରା ସତେ ଯେପରି ସାରା ଦେଶରେ ବିପ୍ଳବର ବହ୍ନି ଜାଳି ଦେଇଥିଲା । ଲାଲ ବାହାଦୂର ଶାସ୍ତ୍ରୀ ଏହି ଆନ୍ଦୋଳନରେ ପ୍ରବଳ ଉତ୍ସାହର ସହ ଯୋଗ ଦେଇଥିଲେ । ବ୍ରିଟିଶ ସରକାରଙ୍କ ବିରୋଧରେ ଅନେକ ବାର ଆନ୍ଦୋଳନର ନେତୃତ୍ୱ ନେଇ ସେ ସାତ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ । ଏହି ଆନ୍ଦୋଳନରେ ହିଁ ତାଙ୍କ ମନରେ ଥିବା ଲୌହ ଭଳି ଦୃଢ଼ ଚିନ୍ତା ଧାରାକୁ ଅଧିକ ମଜବୁତ୍ କରିଥିଲା ଓ ମାନସିକ ସ୍ତରରେ ସେ ଅଧିକ ଦୃଢ଼ ମନା ହୋଇଥିଲେ ।
୯ ଜୁନ୍ ୧୯୬୪ ରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଗୁଲଜାରୀଲାଲ ନନ୍ଦାଙ୍କ ଠାରୁ ପଦ ଗ୍ରହଣ କଲେ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ନେତୃତ୍ୱ ନେଇଥିଲେ । ଯୁଦ୍ଧ ସମୟରେ ସେ "ଜୟ ଯବାନ, ଜୟ କିସାନ" ସ୍ଲୋଗାନ ଦେଇଥିଲେ । ଯାହା ସାରା ଦେଶରେ ଆଜି ଯାଏ ଗୁଞ୍ଜରିତ ହେଉଛି । ୧୦ ଜାନୁଆରୀ ୧୯୬୬ରେ ତାସକେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବରେ ସମାପ୍ତ ହୋଇଥିଲା । ଆଉ ତାର ପରଦିନ ତାସକେଣ୍ଟ ଠାରେ ଶାସ୍ତ୍ରୀ ମୃତ୍ୟୁବରଣ କଲେ । ତାଙ୍କର ହୃଦ୍ଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ତାଙ୍କ ପରିବାର ଏହାକୁ ସ୍ୱୀକାର କରିନାହିଁ । ଆଜି ଯାଏ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।