ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ବିରୋଧୀ ଦଳଗୁଡ଼ିକ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି । ଶୁକ୍ରବାର ଜାତୀୟ ରାଜଧାନୀରେ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛି । 'ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍' (AISA), ରାଜ୍ୟସଭା ସାଂସଦ ମନୋଜ ଝା ଏବଂ ସୁପ୍ରିମକୋର୍ଟର ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆୟୋଜିତ ହୋଇଛି। ଭୋଟର ତାଲିକା ଏବଂ ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗ ଆଣି ସେମାନେ ସିଇସିଙ୍କୁ ପଦରୁ ହଟାଇବାକୁ ଦାବି କରୁଛନ୍ତି।
୫,୦୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ
ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ଆନ୍ଦୋଳନ ପାଇଁ ଅନୁମତି ଦେଇ ନାହିଁ । ଦିଲ୍ଲୀରେ ବିଏନ୍ଏସ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି । ଆନ୍ଦୋଳନ, ଏକାଠି ହେବା ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ ଆନ୍ଦୋଳନକାରୀ ଆନ୍ଦୋଳନର ଡାକରା ଦେଇଛନ୍ତି । ଜନ୍ତରମନ୍ତରରେ ଆଜି ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀଙ୍କ ସମାଗମ ହେବାର ଆକଳନ କରାଯାଇଛି । ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରାୟ ୫,୦୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ଓ ରିଜର୍ଭ ବାହିନୀ, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ଅନ୍ୟାନ୍ୟ ଅର୍ଦ୍ଧ-ସାମରିକ ବାହିନୀର ଯବାନମାନେ ସାମିଲ ଅଛନ୍ତି ।
ଜନ୍ତରମନ୍ତରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ବହୁ-ସ୍ତରୀୟ ବ୍ୟାରିକେଡ୍ ଲଗାଯାଇଛି । ଏହା ବ୍ୟତୀତ, ଜନ୍ତରମନ୍ତର, ଟଲଷ୍ଟୟ ମାର୍ଗ ଏବଂ କେରଳ ହାଉସ୍ ସ୍ଥିତ ବିକ୍ଷୋଭ ସ୍ଥଳକୁ ଉଭୟ ପାର୍ଶ୍ୱରୁ ବନ୍ଦ କରିଦିଆଯାଇଛି ଏବଂ ଅଶୋକା ରୋଡ୍ ନିକଟରେ ମଧ୍ୟ ବ୍ୟାରିକେଡ୍ ଲଗାଯାଇଛି। ବିକ୍ଷୋଭ ସ୍ଥଳକୁ ଯାଉଥିବା ରାସ୍ତାଗୁଡ଼ିକରେ ପୋଲିସ ଗାଡ଼ି ମୁତୟନ ରହିବ। ନୂଆଦିଲ୍ଲୀ ପୋଲିସ ଉପାୟୁକ୍ତଙ୍କ କାର୍ଯ୍ୟାଳୟରୁ ସିସିଟିଭି କ୍ୟାମେରା ଜରିଆରେ ଆନ୍ଦୋଳନ ସ୍ଥଳ ଉପରେ ନଜର ରଖାଯାଇଛି ।
ମେଟ୍ରୋ ଷ୍ଟେସନ ବନ୍ଦ
ସେପଟେ ଦିଲ୍ଲୀର ୧୧ ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି । ମେଟ୍ରୋ ଷ୍ଟେସନ ଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।