ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଏସ୍ଆଇଆର୍ ବିରୋଧରେ ଦିଲ୍ଲୀରେ ଜନ୍ତରମନ୍ତରଠାରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଛି । ସିପିଆଇ (ଏମ୍), ଏସ୍ଏଫ୍ଆଇ, ଡିୱାଇଏଫଆଇ ଦେଇଥିବା ଆନ୍ଦୋଳନ ଡାକ୍ତରେ ବିରୋଧୀ ଦଳର ନେତାମାନେ ସାମିଲ ହୋଇଛନ୍ତି । ଆମ ଆଦମୀ ପାର୍ଟିର ଅନେକ ନେତୃବୃନ୍ଦ ସାମିଲ ହୋଇଛନ୍ତି ।
ଆନ୍ଦୋଳନକାରୀଙ୍କୁ ରୋକିବାକୁ ଯନ୍ତରମନ୍ତରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ ରଖାଯାଇଥିଲା । ଜନ୍ତର ମନ୍ତର, ଟଲଷ୍ଟୟ ମାର୍ଗ ଏବଂ କେରଳ ହାଉସ୍ ସ୍ଥିତ ବିକ୍ଷୋଭ ସ୍ଥଳକୁ ଉଭୟ ପାର୍ଶ୍ୱରୁ ଅବରୋଧ କରାଯାଇଛି ଏବଂ ଅଶୋକ ରୋଡ୍ ନିକଟରେ ବାରିକେଡ୍ ମଧ୍ୟ ଲଗାଯାଇଥିଲା । ଦିଲ୍ଲୀର ୧୨ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଥିଲା । ପ୍ରାୟ ୫୦୦୦ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଉପରେ ମୁତୟନ କରାଯାଇଥିଲା । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଲାଗୁ ହୋଇଥିବା ଧାରା ୧୬୩କୁ କେହି ଖାତିର କରିନଥିଲେ ।
ଆନ୍ଦୋଳନକାରୀ ଜନ୍ତରମନ୍ତର ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ଆନ୍ଦୋଳନରେ ଆପ୍ ନେତା ସଞ୍ଜୟ ସିଂହ, ଆତଶୀ ମାର୍ଲେନା, ଯୋଗେନ୍ଦ୍ର ଯାଦବ, ସାଂସଦ ମନୋଜ ଝା, ସିଜେପି କାର୍ୟ୍ୟକର୍ତ୍ତା ବିଜେତା ଦହିୟା, ପ୍ରମୁଖ ସାମିଲ ହୋଇଥିଲେ । ପୋଲିସ ସମସ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଜଣକ ପରେ ଜଣକୁ ଅଟକ ରଖିଥିଲା । ଦିଲ୍ଲୀ ପୋଲିସ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ଯାଇଛି । ମେଟ୍ରୋ ଷ୍ଟେସନ ନିକଟରୁ ଆତିଶୀ ମାର୍ଲେନା, ଅନୁରାଗ ଢାଣ୍ଡା, କୁଲଦୀପ କୁମାର, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ପ୍ରମୁଖଙ୍କୁ ପୋଲିସ ଅଟକ ରଖିଛି । ଏହା ସହିତ ବିଭିନ୍ନ ଛାତ୍ର ସଂଗଠନର ନେତାମାନେ ମଧ୍ୟ ସାମିଲ ଅଛନ୍ତି ।