ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଇଦୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ଭିଡିଓ କଲ୍ ଯୋଗେ କଥା ହୋଇଛନ୍ତି ।
ଦୁବାଇରୁ ତେଲ ଅଭିଭ ଯାଉଥିବା ସମୟରେ ସହ-ପାଇଲଟ୍ କରିଥିବା ଛୁରାମାଡ଼ରେ ଗୁରୁତର ଆହତ ହୋଇ ମଧ୍ୟ ସ୍ମିତ୍ ଅସୀମ ସାହସିକତା ପ୍ରଦର୍ଶନ କରି ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସାହସିକତାର ପ୍ରଶଂସା କରି ସ୍ମିତ୍ ମଚ୍ଛାରଙ୍କୁ ତୁମେ 'ପ୍ରକୃତ ହିରୋ' ବୋଲି କହିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ସେ ଯେଉଁଭଳି ଭାବେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦେଲେ, ସେଥିପାଇଁ ସାରା ଦେଶ ଗର୍ବିତ ବୋଲି ମୋଦି କହିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କ୍ୟାପଟେନ୍ ସ୍ମିତ୍ଙ୍କ ପତ୍ନୀ ଏବଂ ମାତାପିତାଙ୍କ ସହ ମଧ୍ୟ ଫୋନରେ କଥା ହୋଇ ସ୍ମିତ୍ଙ୍କୁ ଦେଇଥିବା ଉଚ୍ଚ ସଂସ୍କାର ପାଇଁ ତାଙ୍କ ମାଆଙ୍କୁ ପ୍ରଶଂସା କରିଥିଲେ ଓ ସମସ୍ତ ପ୍ରକାର ସହାୟତାର ଆଶ୍ୱାସନା ଦେଇଥିଲେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ କ୍ୟାପଟେନ୍ ସ୍ମିତ୍ କହିଛନ୍ତି ଯେ, ନିଜର ସବୁଠାରୁ ବଡ଼ ଆଦର୍ଶ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ତାଙ୍କ ପାଇଁ ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ।
ବୁଧବାର ଦୁବାଇରୁ ତେଲ ଆଭିଭ ଯାଉଥିବା ‘ଫ୍ଲାଏଦୁବାଇ’ (Flydubai) ବିମାନ FZ1073ର କକପିଟ କ୍ୟାପଟେନ ମଚ୍ଛାରଙ୍କୁ ତାଙ୍କର ସହ-ପାଇଲଟ ଛୁରୀ ଭୁଷି ଗୁରୁତର ଆହତ କରିଥିଲେ। ବିମାନରେ ମୋଟ ୧୭୪ ଜଣ ଯାତ୍ରୀ ଥିଲେ। ସହ-ପାଇଲଟ୍ ଜଣକ ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରି ସ୍ମିତ୍ଙ୍କ ଉପରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବି କ୍ୟାପଟେନ୍ ସ୍ମିତ୍ କକ୍ପିଟ୍ର କବାଟ ଖୋଲିବାରେ ସଫଳ ହୋଇଥିଲେ, ଯାହାଫଳରେ ବିମାନରେ ଥିବା ସୁରକ୍ଷାକର୍ମୀ ଓ ଯାତ୍ରୀମାନେ ଆକ୍ରମଣକାରୀକୁ କାବୁ କରିନେଇଥିଲେ । ଏହି ଘଟଣା ପରେ ବିମାନଟିକୁ ସାଉଦି ଆରବର ତାବୁକ ଠାରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଶଙ୍କାକୁ ଏଡ଼ାଇ ଦିଆଯାଇନାହିଁ ଏବଂ ବର୍ତ୍ତମାନ ୟୁଏଇ ଏହି ଘଟଣାର ତଦନ୍ତ କରୁଛି।