ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଚିନି ଦର ନିୟନ୍ତ୍ରଣରେ ରଖିବା ଏବଂ ବଜାରରେ ଏହାର କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ କଦମ ଉଠାଇଛନ୍ତି। ଦେଶରେ ଚିନିର କୌଣସି ଅଭାବ ନହେବା ଏବଂ ଖାଉଟିଙ୍କୁ ଉଚିତ ମୂଲ୍ୟରେ ଚିନି ଯୋଗାଇବା ଲକ୍ଷ୍ୟରେ ଡିଲରମାନଙ୍କ ପାଇଁ ଚିନି ଗଚ୍ଛିତ ରଖିବାର ସୀମାକୁ କଡ଼ାକଡ଼ି କରାଯାଇଛି।
ଅକ୍ଟୋବର ୧୫ରୁ ନୂଆ ନିୟମ ଲାଗୁ
ନୂଆ ନିୟମ ଅନୁଯାୟୀ, ଆସନ୍ତା ଅକ୍ଟୋବର ୧୫ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଭାଗରେ ଜଣେ ଡିଲର ସର୍ବାଧିକ ୧,୦୦୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ନିଜ ପାଖରେ ରଖିପାରିବେ। ଏହାସହିତ କୌଣସି ବି ଡିଲର ୧୫ ଦିନରୁ ଅଧିକ ସମୟ ପାଇଁ ଚିନି ଷ୍ଟକ୍ ରଖିପାରିବେ ନାହିଁ। ତେବେ ପରିବହନ ସମସ୍ୟା ଏବଂ ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି କୋଲକାତା, ଏହାର ଆଖପାଖ ଅଞ୍ଚଳ ଏବଂ ଆସାମ ପାଇଁ ଏହି ଷ୍ଟକ୍ ସୀମା ୨ ହଜାର କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି।
ସରକାର କାହିଁକି ନେଲେ ଏହି ନିଷ୍ପତ୍ତି ?
ପାର୍ବଣ ସମୟରେ ବଜାରରେ ଚିନିର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହାର ଫାଇଦା ଉଠାଇ କିଛି ବ୍ୟବସାୟୀ ଅସାଧୁ ଉପାୟରେ ଅଧିକ ଚିନି ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିବାର ଆଶଙ୍କା ଥାଏ, ଯାହା ଦ୍ୱାରା ଦର ବୃଦ୍ଧି ପାଏ। ଏହି କଳାବଜାରୀକୁ ରୋକିବା ପାଇଁ ସରକାର ଷ୍ଟକ୍ ରଖିବାର ପରିମାଣ ଏବଂ ସମୟସୀମା କମାଇ ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ମାସରେ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ଥିବାବେଳେ ସେପ୍ଟେମ୍ବର ୧୫ରୁ ଏହାକୁ ୨,୦୦୦ କ୍ୱିଣ୍ଟାଲକୁ ହ୍ରାସ କରାଯାଇଥିଲା। ଏବେ ଏହାକୁ ଆହୁରି କମାଇ ୧,୦୦୦ କ୍ୱିଣ୍ଟାଲ କରାଯାଇଛି।
ଖାଉଟିଙ୍କୁ ମିଳିବ ଲାଭ
ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟ ମାସ ତୁଳନାରେ ଚିନିର ହାରାହାରି ଖୁଚୁରା ମୂଲ୍ୟ ପାଖାପାଖି ୧୫% କମିଥିବା ବେଳେ ମିଲ୍ ଗୁଡ଼ିକରେ ଚିନି ଦର ପ୍ରାୟ ୨୮% ହ୍ରାସ ପାଇଛି। ଏହି ଶସ୍ତା ଦରର ସିଧାସଳଖ ଫାଇଦା ଯେପରି ସାଧାରଣ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ଚିନି ମିଲ୍, ଡିଲର ଏବଂ ପାଇକାରୀ ବ୍ୟବସାୟୀଙ୍କୁ ବଜାରରେ ନିୟମିତ ଚିନି ଯୋଗାଣ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।