ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ବହୁପ୍ରତୀକ୍ଷିତ ୨୦୨୭ ଦିନିକିଆ ବିଶ୍ୱକପର ପୂରା କ୍ରୀଡାସୂଚୀ ଘୋଷଣା କରାଯାଇଛି। କ୍ରିକେଟ୍ର ଏହି ମହାକୁମ୍ଭ ଆସନ୍ତା ୨୦୨୭ ଅକ୍ଟୋବର ୨ରୁ ଆରମ୍ଭ ହେବ ଏବଂ ନଭେମ୍ବର ୨୧ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକାର କେପଟାଉନ୍ ସହରରେ ଏକ ଭବ୍ଯ କାର୍ଯ୍ୟକ୍ରମ ମଧ୍ୟରେ ଆଇସିସି ଏହି ମେଗା ଇଭେଣ୍ଟର ସିଡୁୁ୍ୟଲ ଘୋଷଣା କରିଛି ।
ଘୋଷିତ ସୂଚୀ ଅନୁଯାୟୀ, ଟିମ୍ ଇଣ୍ଡିଆ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ସମସ୍ତଙ୍କ ନଜର ରହିଥିବା ସବୁଠୁ ରୋମାଞ୍ଚକର ମ୍ୟାଚ୍ ଅର୍ଥାତ୍ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଅକ୍ଟୋବର ୧୦ ତାରିଖରେ ଜୋହାନ୍ସବର୍ଗରେ ଖେଳାଯିବ।
ଅକ୍ଟୋବର ୭: ଭାରତ ବନାମ ଅଷ୍ଟ୍ରେଲିଆ (କେପଟାଉନ୍)
ଅକ୍ଟୋବର ୧୦: ଭାରତ ବନାମ ପାକିସ୍ତାନ (ଜୋହାନ୍ସବର୍ଗ)
ଅକ୍ଟୋବର ୧୪: ଭାରତ ବନାମ ଆଫଗାନିସ୍ତାନ (ସେଞ୍ଚୁରିଅନ୍)
ଅକ୍ଟୋବର ୧୭: ଭାରତ ବନାମ କ୍ୱାଲିଫାୟର୍-ଏ
ଅକ୍ଟୋବର ୨୪: ଭାରତ ବନାମ ଜିମ୍ବାୱେ
ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବଂ ଫର୍ମାଟ୍
ଚଳିତ ଥରର ଦିନିକିଆ ବିଶ୍ୱକପ୍ ମିଳିତ ଭାବେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟାରେ ଖେଳାଯିବ। ସମୁଦାୟ ୧୨ଟି ଭେନ୍ୟୁରେ ମ୍ୟାଚ୍ଗୁଡ଼ିକ ଆୟୋଜିତ ହେବ, ଯେଉଁଥିରେ ଦକ୍ଷିଣ ଆଫ୍ରିକାର ୮ଟି, ଜିମ୍ବାୱେର ୩ଟି ଏବଂ ନାମିବ୍ୟାର ଗୋଟିଏ ମଇଦାନ ସାମିଲ ରହିଛି। ଏହି ବିଶ୍ୱକପ୍ରେ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିବେ ଏବଂ ସମୁଦାୟ ୫୭ଟି ମ୍ୟାଚ୍ ଖେଳାଯିବ।
ବିଶ୍ୱକପ୍ର ଫର୍ମାଟ୍ ବେଶ୍ ଆକର୍ଷକ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଦଳ ବାଦ୍ ପଡ଼ିବା ପରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି।
ଗ୍ରୁପ୍-ଏ: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଜିମ୍ବାୱେ ଏବଂ କ୍ୱାଲିଫାୟର୍-ଏ।
ଗ୍ରୁପ୍-ବି: ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ କ୍ୱାଲିଫାୟର୍-ବି।
ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଦଳ
ଏପର୍ଯ୍ୟନ୍ତ ଆଇସିସି ଦିନିକିଆ ମାନ୍ୟତା ଅନୁଯାୟୀ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ସିଧାସଳଖ କ୍ୱାଲିଫାଇ କରିଛନ୍ତି। ସହ-ଆୟୋଜକ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେକୁ ସିଧାସଳଖ ଏଣ୍ଟ୍ରି ମିଳିଛି। ତେବେ ନାମିବ୍ୟା ସହ-ଆୟୋଜକ ହୋଇଥିଲେ ମଧ୍ୟ ଆଇସିସିର ପୂର୍ଣ୍ଣ ସଦସ୍ୟ ନ ହେବାରୁ ସିଧାସଳଖ ପ୍ରବେଶ ମିଳିନାହିଁ। ବାକି ୪ଟି ସ୍ଥାନ ପାଇଁ କ୍ୱାଲିଫାୟର୍ ରାଉଣ୍ଡ ଖେଳାଯିବ, ଯେଉଁଥିରେ ପୂର୍ବତନ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ ମଧ୍ୟ ସାମିଲ ଅଛି।