ଭୁବନେଶ୍ୱର: ଦଶହରା ପୂର୍ବରୁ ବନ୍ୟା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇବେ । ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟରେ ସରକାରୀ କର୍ମଚାରୀଙ୍କ ତ୍ରୁଟି କ୍ଷମଣୀୟ ନୁହେଁ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ପ୍ରାକୃତିକ ଦୁର୍ବିପାକ ସମୟରେ ଅମାନିଆ ସରକାରୀ କର୍ମଚାରୀଙ୍କୁ ତାଗିଦ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି ଯେ ସାଧାରଣ ସମୟରେ ତ୍ରୁଟି ବିଚ୍ୟୁତି ହେଲେ ଚଳିବ । କିନ୍ତୁ ବିପର୍ଯ୍ୟୟ ସମୟରେ ଲୋକେ ଦୁର୍ଦ୍ଦଶା ଭୋଗୁଥିବାବେଳେ ତ୍ରୁଟି ବିଚ୍ୟୁତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏଭଳି ଅବହେଳାକୁ ସରକାର ବରଦାସ୍ତ କରି ନାହାଁନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅବହେଳା କରିଥିବା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ଗତ ଦୁଇ ମାସ ହେବ ବନ୍ୟା ପ୍ରଭାବିତ ଅଞ୍ଚଳରେ କାମ କରିଥିବା ସମସ୍ତ ଅଧିକାରୀ, ଉଦ୍ଧାରକାରୀ ଦଳ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଓଡ୍ରାଫ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଶୀଘ୍ର ବାକି କ୍ଷତିପୂରଣ ଯୋଗାଇ ଦିଆଯିବ। ଧାନଠାରୁ ଆରମ୍ଭ କରି ପନିପରିବା, ବାସନ କୁସନ ଏବଂ ଲୁଗାପଟା ପାଇଁ କ୍ଷତିପୂରଣ ମିଳିବ । ଯେଉଁ ମତ୍ସ୍ୟଜୀବୀଙ୍କ ଡଙ୍ଗା ଏବଂ ଜାଲ ପାଇଁ ମଧ୍ୟ କ୍ଷତିପୂରଣ ମିଳିବ । ସମସ୍ତ ଦିଗରୁ କ୍ଷତିପୂରଣ ମିଳିବ । ତେଣୁ ଆସନ୍ତା ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ସହ କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଚଳିତ ବର୍ଷ ବର୍ଷା ଓ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଏହାର ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହିତ ଆଲୋଚନା ଚାଲୁଛି । ମାଟି ଧସିବା ମଧ୍ୟ ଆଉ ଏକ ସମସ୍ୟା ହୋଇ ଉଭା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ କମାଇବାକୁ ଅତ୍ୟାଧୁନିକ ପ୍ରଣାଳୀ ଆପଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।