ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍ଟରେ ଅନୁଷ୍ଠିତ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ବିବାଦ ତୀବ୍ରରୂପ ନେଇଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି 'କକ୍ରୋଚ୍ ଜନତା ପାର୍ଟି' (CJP) ପକ୍ଷରୁ କରାଯାଇଥିବା ଏହି ପ୍ରଦର୍ଶନ ମାମଲାରେ ଅଭିଜିତ ଦୀପକେ ଏବଂ ଅନ୍ୟମାନଙ୍କ ବିରୋଧରେ ଶିବାଜୀ ପାର୍ଟ ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ପୁଲିସରେ ଦାୟର ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଜିତ ଦୀପକେ, ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ରତ୍ନା ସିଂହ କୌଣସି ସ୍ପଷ୍ଟ ପ୍ରଶାସନିକ ଅନୁମତି ବିନା ଶିବାଜୀ ପାର୍କରେ ଭିଡ଼ ଜମାଇ ପ୍ରଦର୍ଶନ କରିଥିଲେ। ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ଏହା ବମ୍ବେ ହାଇକୋର୍ଟଙ୍କ ୨୦୧୩ ଜାନୁଆରୀ ୪ ତାରିଖର ଏକ ରାୟ ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜାରି କଟକଣାର ସମ୍ପୂର୍ଣ୍ଣ ପ୍ରତିକୂଳ ଅଟେ।
ଏହାକୁ କେବଳ 'ଶାନ୍ତପୂର୍ଣ୍ଣ ପ୍ରତିବାଦ' କହିବା ଭୁଲ୍ ହେବ ବରଂ ଏହା ଆଇନକୁ ଖୋଲାଖୋଲି ଅବମାନନା କରିବାର ଏକ ପ୍ରୟାସ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସମ୍ବିଧାନ ଓ ଆଇନର ଦ୍ୱାହି ଦେଉଥିବା ବ୍ୟକ୍ତିମାନେ ନିଜେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ବଲିଉଡ୍ କଳାକାରଙ୍କ ଉପସ୍ଥିତି ଏବଂ ବିବାଦ
ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିଜିତ ଦୀପକେଙ୍କ ସହ ମଞ୍ଚରେ ବଲିଉଡ୍ର ଜଣାଶୁଣା ବ୍ୟକ୍ତିତ୍ୱ ଯଥା ବିଶାଳ ଦଦଲାନୀ ଏବଂ ଶବାନା ଆଜମୀ ମଧ୍ୟ ନଜର ଆସିଥିଲେ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଏବେ ଆଇନଗତ ଜଟିଳତା ମଧ୍ୟକୁ ଟାଣି ହୋଇଯାଇଛି।
ପ୍ରଶାସନ ଓ ଅଭିଯୋଗକାରୀଙ୍କ ମତରେ, କୌଣସି ବ୍ୟକ୍ତି କିମ୍ବା ସଂଗଠନ ଆଇନ ଏବଂ ସମ୍ବିଧାନର ଉର୍ଦ୍ଧ୍ୱରେ ନୁହେଁ। ଏଭଳି ପ୍ରଦର୍ଶନକୁ ବମ୍ବେ ହାଇକୋର୍ଟଙ୍କ ଅପମାନ ବୋଲି କୁହାଯାଉଥିବାବେଳେ ଆଗାମୀ ଦିନରେ ଏହି ମାମଲା କି ରୂପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।