ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୬ରେ ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ପାକିସ୍ତାନ କ୍ୟାପଟେନ୍ ଫାତିମା ସନାଙ୍କ ଆଚରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ କ୍ରିକେଟର୍ ଶେଫାଳୀ ବର୍ମାଙ୍କୁ ପାଭିଲିୟନ ଫେରିବାକୁ ଇଙ୍ଗିତ କରିବା ଫାତିମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଇସିସି ଫାତିମାଙ୍କ ଉପରେ ଜରିମାନା ଲଗାଇଛି ।
ଫାତିମା ଆଇସିସିର ଆଚରଣ ସଂହିତାର ଲେବଲ୍-୧ ଉଲ୍ଲଂଘନ କରିଛନ୍ତି । ସେ ଆଚାରଣ ସଂହିତା ଧାରା ୨.୫ର ଉଲ୍ଲଂଘନ କରିଥିବା ଆଇସିସି କହିଛି । ତାଙ୍କର ଆଚରଣ ଆଉଟ୍ ହୋଇଥିବା ଖେଳାଳିଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଇଛି । ସେଥିପାଇଁ ଫାତିମାଙ୍କ ମ୍ୟାଚ ଟଙ୍କାରୁ ୧୦ ପ୍ରତିଶତ ଜରିମାନା ଦେବାକୁ ଆଇସିସି ନିର୍ଦ୍ଦେଶ ଦେଇଛି । ଏହା ସହିତ ତାଙ୍କ ନାମରେ ଅନୁଶାସନାତ୍ମକ ରେକର୍ଡରେ ପଏଣ୍ଟ ଯୋଡ଼ା ହୋଇଛି ।
ତେବେ ମ୍ୟାଚ୍ ସମୟରେ ଶେଫାଳୀ ବର୍ମା ବ୍ୟାଟିଂ କରୁଥିବାବେଳେ ପାକ୍ କ୍ୟାପଟେନ୍ ଫାତିମା ସନା ବୋଲିଂ କରୁଥିଲେ । ଏହି ସମୟରେ ଫାତିମାଙ୍କ ବଲରେ ଶେଫାଳୀ ଆଉଟ୍ ହୋଇଯାଇଥିଲା । ବଲ୍ ସିଧା ସଳଖ ଫାତିମାଙ୍କ ହାତରେ ରହିଯାଇଥିଲା । ଏହା ପରେ ଫାତିମା ଶେଫାଳୀଙ୍କୁ ଇଙ୍ଗିତ କରି ପାଭିଲିୟନ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଆଇସିସି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ମହିଳା ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା । ମାତ୍ର ୫୫ ରନରେ ପାକିସ୍ତାନ ଟିମ୍ ମାଟି କାମୁଡ଼ିଥିଲା । ଏହା ପରେ ଭାରତୀୟ ଟିମ୍ ବ୍ୟାଟିଂ କରିଥିଲା । ମାତ୍ର ୮.୪ ଓଭରରେ ଭାରତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା ।