ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ସିନିୟର ବିଶ୍ୱ କୁସ୍ତି ଚାମ୍ପିଅନସିପ୍ ୨୦୨୬ ପାଇଁ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି । ବିନେଶ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ (WFI)କୁ ଏହା ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।
ବିନେଶ ଫୋଗାଟ ଏକ ବିଚାରାଧୀନ ମାମଲା ମଧ୍ୟରେ ଏହି ଆବେଦନ କରିଛନ୍ତି । ବିନେଶ ପୂର୍ବ ଆବେଦନରେ ଗର୍ଭଧାରଣ ଏବଂ ମାତୃତ୍ୱ ଛୁଟି ପରେ ମହିଳା ଖେଳାଳିମାନଙ୍କୁ କ୍ରୀଡ଼ାକୁ ଫେରିବା ପାଇଁ ଏକ ନୀତି ଗଠନ କରିବାକୁ ଅନୁରୋଧ କରିଥିଲେ। ବିନେଶଙ୍କୁ ସେପ୍ଟେମ୍ବର ୭ ତାରିଖରେ ଭାରତୀୟ କୁସ୍ତି ମହାସଂଘର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନ କରିଛନ୍ତି । ଯାହା ଅନୁଯାୟୀ ତାଙ୍କୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଛି।
ସେ WFIକୁ ତାଙ୍କୁ ଯୋଗ୍ୟତା ପୁଲରେ ଅସ୍ଥାୟୀ ଭାବରେ ସାମିଲ କରିବା ଏବଂ ସେପ୍ଟେମ୍ବର ୧୪ ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ହେବାକୁ ଥିବା ମହିଳା ଚୟନ ଟ୍ରାଏଲରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ୧୪ ତାରିଖରେ ଛଅଟି ଅଲିମ୍ପିକ୍ ଓଜନ ବର୍ଗରେ ମହିଳା ଟ୍ରାଏଲ୍ ପାଇଁ ବ୍ୟବସ୍ଥା କରାଯାଇଛି।
ଫୋଗାଟ ଯୁକ୍ତି ଦର୍ଶାଇଛନ୍ତି ଯେ ନୂତନ ଚୟନ ପଦ୍ଧତି ଏକ "ପ୍ରତିବନ୍ଧକ" ବ୍ୟବସ୍ଥା ରହିଛି । କାରଣ ବିଶ୍ୱ ଚାମ୍ପିଅନସିପ୍ ପାଇଁ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି ତାହା ନିର୍ଦ୍ଦିଷ୍ଟ ଯୋଗ୍ୟତା ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ ପ୍ରଦର୍ଶନ ଉପରେ ନିର୍ଭରଶୀଳ । ୨୦୨୫ ସିନିୟର ଜାତୀୟ କୁସ୍ତି ଚାମ୍ପିଅନସିପ୍, ଗୋଣ୍ଡାରେ ୨୦୨୬ ସିନିୟର ଓପନ୍ ରାଙ୍କିଂ ଟୁର୍ନାମେଣ୍ଟ ଏବଂ ୨୦୨୬ ୟୁ୨୩ ଜାତୀୟ କୁସ୍ତି ଚାମ୍ପିଅନସିପର ପଦକ ବିଜେତା, ଫେଡେରେସନ କପରୁ ମନୋନୀତ ପଦକ ବିଜେତା, ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରୁଥିବା ଖେଳାଳୀ ଏବଂ ୨୦୨୬ ୟୁ୨୦ ବିଶ୍ୱ କୁସ୍ତି ଚାମ୍ପିଅନସିପ୍ ପାଇଁ ମନୋନୀତ ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ଫୋଗାଟ୍ କହିଛନ୍ତି ଯେ ସେ ଏହି ବର୍ଗଗୁଡ଼ିକ ମଧ୍ୟରୁ କୌଣସି ବର୍ଗରେ ଆସୁ ନାହାଁନ୍ତି । କାରଣ ଗର୍ଭାବସ୍ଥା, ପ୍ରସବ, ପ୍ରସବ ପରେ ସୁସ୍ଥତା ଏବଂ ପ୍ରତିଯୋଗିତାକୁ ଫେରିବା ପାଇଁ ଆବଶ୍ୟକତା ଯୋଗୁଁ ଯୋଗ୍ୟତା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିପାରିନଥିଲେ । ସେ ଯୁକ୍ତି ଦେଇଛନ୍ତି ଯେ ଏହି ନିୟମରେ ମାତୃତ୍ୱ ପାଇଁ ଛୁଟିରେ ଥିବା ଜଣେ ଖେଳାଳିଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ ଯିଏ ନିର୍ଦ୍ଦିଷ୍ଟ ପ୍ରତିଯୋଗିତାରୁ ବଞ୍ଚିତ ହୋଇଥିଲେ।
ଫୋଗାଟ୍ ଉଲ୍ଲେଖ କରିଛନ୍ତି ଯେ ସେ ମେ ୩୦ ତାରିଖରେ ୫୩ କିଲୋଗ୍ରାମ ବର୍ଗରେ ଏସୀୟ କ୍ରୀଡା ଚୟନ ଟ୍ରାଏଲରେ ଅଂଶଗ୍ରହଣ କରିଥିଲେ, କ୍ୱାର୍ଟର ଫାଇନାଲ ମୁକାବିଲା ଜିତି ସେମିଫାଇନାଲକୁ ଯାଇଥିଲେ। ଏହାକୁ ପ୍ରମାଣ ସ୍ୱରୂପ ଗ୍ରହଣ କରିବାକୁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି ।
ଅକ୍ଟୋବର 24 ରୁ ନଭେମ୍ବର 01 ପର୍ଯ୍ୟନ୍ତ କାଜାଖସ୍ତାନର ଆସ୍ତାନାରେ ସିନିୟର ବିଶ୍ୱ କୁସ୍ତି ଚାମ୍ପିଅନସିପ୍ 2026 ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଦଳରେ ଚୟନ ପ୍ରକ୍ରିୟା ଜାରି ରହିଛି ।