ମୁମ୍ବାଇ: ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳର ବରିଷ୍ଠ କ୍ରିକେଟର ରୋହିତ ଶର୍ମା ଖେଳିବେ କି ନାହିଁ, ସେ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ତାଙ୍କ ଭାଗିଦାରୀକୁ ନେଇ ନିଜେ ରୋହିତ ଏକ ସନ୍ଦେହଜନକ ବକ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, "ଅକ୍ଟୋବର ୨୦୨୭ ଏବେ ବି ଅନେକ ଦୂର, ସେତେବେଳ କଥା ସେତେବେଳେ ଦେଖାଯିବ।
ଟେଷ୍ଟ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ରୋହିତ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ସକ୍ରିୟ ରହିଛନ୍ତି। କିନ୍ତୁ ଆଗାମୀ ବିଶ୍ୱକପ୍ ପାଇଁ ସେ ନିଜ ନାମ ସୁନିଶ୍ଚିତ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ବିଶ୍ୱକପ୍ ଜିତିଲେ ୨୦୨୪ ଟି-୨୦ ବିଶ୍ୱକପ୍ ଭଳି ପୁଣି ଥରେ ଓପନ୍-ବସ୍ ପରେଡ୍ ହେବ କି ବୋଲି ପଚରାଯିବାରୁ ରୋହିତ ହସି କହିଥିଲେ, "ମୋତେ ଲାଗୁନି ଏବେ ଆଉ ବସ୍ ପରେଡ୍ ସମ୍ଭବ ହେବ।
ସେପଟେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ରୋହିତଙ୍କ ସମର୍ଥନରେ ବାହାରିଛନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ରୋହିତ ୧୩୮ ରନର ଏକ ଦମଦାର ଶତକୀୟ ଇନିଂସ ଖେଳିଥିବା କଥା ଉଲ୍ଲେଖ କରି ସାଇକିଆ କହିଛନ୍ତି ଯେ, ରୋହିତଙ୍କ ସୁପର ଫର୍ମରେ ରହିବା ସତ୍ତ୍ୱେ ତାଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରିବାର କୌଣସି କାରଣ ନାହିଁ।
ତେବେ, ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବାକୁ ଥିବାବେଳେ ସେତେବେଳକୁ ରୋହିତଙ୍କ ବୟସ ୪୦ ଛୁଇଁସାରିଥିବ, ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।