ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଆଜି ରାତି ଓ ଆସନ୍ତାକାଲି ଭୋର୍ ସମୟରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ମଧ୍ୟ ଦେଇ ଗତି କରିବ । ଗଭୀର ଅବପାତ ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ଫଳରେ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣରୁ ନେଇ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ସେପ୍ଟେମ୍ବର ୨୩ (ଆଜି) ପାଇଁ କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମାଲକାନଗିରି, ନବରଙ୍ଗପରୁ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ସେପ୍ଟେମ୍ବର ୨୩ ଓ ସେପ୍ଟେମ୍ବର ୨୪ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଅନ୍ୟପକ୍ଷେ ବରଗଡ଼, ସୋନପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ୨୪ ଓ ୨୫ ତାରିଖ ପାଇଁ କେବଳ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ କୌଣସି ବର୍ଷା ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ବର୍ଷା କମିବା ସହିତ ପାଗ ଶୁଖିଲା ରହିବ ।
ଏହି ତିନି ଦିନ ଘଡ଼ଘଡ଼ି ବିଜୁଳି ମାରିବା ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର୍ ରହିବ । ସେହିପରି ଝଟକା ପବନ ମଧ୍ୟ ଦେବ ।
ବର୍ଷାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜଳବନ୍ଦୀ ସମସ୍ୟା, ଉଦ୍ଧାର କାର୍ୟ୍ୟ, ଗଛ ଉପୁଡ଼ିବା, ବିଦ୍ୟୁତ ସେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ସେପ୍ଟେମ୍ବର ୨୫ ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏହା ସହିତ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ଏହା ସହିତ ସମସ୍ତ ମତ୍ସ୍ୟ ଡଙ୍ଗା ଓ ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ନିକଟସ୍ଥ ମତ୍ସ୍ୟ ଅବତରଣ କେନ୍ଦ୍ର କିମ୍ବା ମତ୍ସ୍ୟ ବନ୍ଦରରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ସାମୁଦ୍ରିକ ମତ୍ସ୍ୟ ଅଧିକାରୀମାନେ ସ୍ଥାନୀୟ ବୋଟ୍ ମାଲିକ ସଂଘ, ଟ୍ରଲର ମାଲିକ ସଂଘ, ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସମ୍ଭାବ୍ୟ ବର୍ଷା ସମ୍ପର୍କରେ ସୂଚନା ଦେଇ ସଚେତନ କରିଛନ୍ତି । ସମସ୍ତ ଜିଲ୍ଲା କାର୍ୟ୍ୟାଳୟରେ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ କଟକ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ନିୟମିତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ରହିଛି ।