ପୁରୀ: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବାମନ ଜନ୍ମନୀତି ବା ବଳି ବାମନ ବେଶ ଅନୁଷ୍ଠିତ ହେବ । ଏହା ଗୁପ୍ତ ନୀତି ହୋଇଥିବାରୁ ଆଜି ପ୍ରାୟ ୬ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସୂଚିତ କରାଯାଇଛି ।
ଭାଦ୍ରବ ମାସ, କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁ ନିଜର ପଞ୍ଚମ ଅବତାର ବାମନ ରୂପ ନେଇଥିଲେ । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜା ଯାଇଥାଏ। ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଛତା ଓ ଡାହାଣ ହାତରେ କୁଶବଟୁ ଗଡ଼ୁ ଧରି ଏକ ବାମନ ବେଶରେ ସଜ୍ଜିତ କରାଯାଇଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାରକୁ ବନ୍ଦ ରଖାଯିବ । ଏହା ପରେ ଏହି ସ୍ୱତନ୍ତ୍ର ବେଶ ନୀତି ଅନୁଷ୍ଠିତ ହେବ ।
ପୌରାଣିକ କଥାବସ୍ତୁ ଅନୁସାରେ, ରାକ୍ଷସ ରାଜା ବଳିଙ୍କର ଦୌରାତ୍ମ୍ୟ ବଢ଼ିଯାଇଥିଲା । ରାଜା ବଳି ନିଜ ବଚନରେ ସିଦ୍ଧ ଥିଲେ , ସେ କଦାପି ନିଜ ବଚନରୁ ଓହରୁନଥିଲେ । କିନ୍ତୁ ତାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଦେବତାମାନେ ଭଗବାନ ବିଷ୍ଣୁଙ୍କ ଶରଣ ନେଇଥିଲେ । ଏହା ପରେ ଭଗବାନ ବିଷ୍ଣୁ କାଶ୍ୟପ ରାଜା ଏବଂ ଅଦିତିଙ୍କ ଗର୍ଭରୁ ବାମନ ରୂପେ ଜନ୍ମ ଗ୍ରହଣ କରିଥିଲେ । ରାଜା ବଳି ନିୟମିତ ଯଜ୍ଞ ଓ ଦାନ କରୁଥିଲେ । ଏକ ଯଜ୍ଞରେ ବାମନ ଉପସ୍ଥିତ ହୋଇ ବଳିଙ୍କୁ କେବଳ ତିନିପାଦ ଜମି ଦେବାକୁ ଅନୁରୋଧ କରିଥିଲେ । ଗୁରୁ ଶୁକ୍ରାଚାର୍ଯ୍ୟ ଚେତାବନୀ ଦେଲେ ଯେ ବାମନ ବାସ୍ତବରେ ବିଷ୍ଣୁ, ତେଣୁ ତାଙ୍କ ମାୟା ବୁଝିବା ସହଜ ନୁହେଁ । ଶୁକ୍ରାଚାର୍ଯ୍ୟଙ୍କ ଚେତାବନୀ ସତ୍ତ୍ୱେ ବଳି ଦାନ ଦେବା ପାଇଁ ସମ୍ମତ ହୋଇଥିଲେ । ବାମନ ନିଜର ବିଶାଳ ଆକାର ଧାରଣ କରିଥିଲେ । ପ୍ରଥମ ପାଦରେ ପୃଥିବୀ, ଦ୍ୱିତୀୟ ପାଦରେ ଆକାଶ ଏବଂ ତୃତୀୟ ପାଦରେ ବଳି ରାଜାକୁ ପାତାଳକୁ ପଠାଇଥିଲେ । ଏହା ପରେ ଇନ୍ଦ୍ର ରାଜାକୁ ତାଙ୍କ ଇନ୍ଦ୍ରପୁର ଫେରାଇ ଦିଆଯାଇଥିଲା । ବାମନ ତାଙ୍କ ପାଦ ବଳିଙ୍କ ମୁଣ୍ଡ ଉପରେ ରଖି ତାଙ୍କୁ ଅମରତ୍ୱ ଦେଇଥିଲେ ।