ରଜ ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ପର୍ବ । ଗାଁ ଗାଁରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ । ବିଶେଷ କରି ମହିଳା, ଯୁବତୀ ଓ କୁନି ଝିଅମାନେ ରଜ ଦୋଳି ଖେଳି ଏହି ଉତ୍ସବର ଆନନ୍ଦ ନେଇଥାଆନ୍ତି । ଏହି ଅବସରରେ ଭଳିକି ଭଳି ମିଠା ଓ ପିଠାପଣା ସହ ରଜପାନ, ପୁଚି ଖେଳ ଏବଂ ନୃତ୍ୟଗୀତ ବିଶେଷ ଆକର୍ଷଣ ସାଜିଥାଏ । ଓଡ଼ିଆ ପରମ୍ପରାର ଏହି ମହାନ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର କରାଇବା ଲକ୍ଷ୍ୟରେ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ଅନ୍ତର୍ଗତ ଟଙ୍କପାଣି ରୋଡସ୍ଥିତ ଶିରିଡ଼ି ସାଇବାବା ମନ୍ଦିର ପକ୍ଷରୁ ବିଶେଷ ରଜ ଉତ୍ସବର ଆୟୋଜନ କରାଯାଇଛି । କୁନି କୁନି ପିଲା ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ପିଠାପଣା ଆଦି ପ୍ରତିଯୋଗିତା ସହ ରଜ ଦୋଳି ଖେଳର ଆୟୋଜନ କରାଯାଇଛି ।
ମହାନ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଗୁରୁ ରଜ ପ୍ରାର୍ଥନା ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପୂର୍ବ ଭାବ ସଞ୍ଚାର କରିଥିଲା । ଗୁରୁ ରଜ ଗୀତର ତାଳେ ତାଳେ ଓଡ଼ିଆ ଝିଅ ଓ ମହିଳାମାନଙ୍କ ସହ ସ୍ଥାନୀୟ ଅଞ୍ଚଳ ସମେତ କଟକ ଓ ଭୁବନେଶ୍ୱରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ଭକ୍ତ ସାମିଲ ହୋଇଥିଲେ ।