ଅହମ୍ମଦାବାଦ: ମାଆ ଦୁର୍ଗାଙ୍କ ନବରାତ୍ରୀ ଉତ୍ସବ ଏବଂ ଗର୍ବା କହିଲେ କେବଳ ଗୁଜରାଟକୁ ହିଁ ବୁଝାଏ । ଯଦିଓ ଏହି ଗର୍ବା ଏବଂ ଦାଣ୍ଡିଆ ଖେଳ ଏବେ ଅନ୍ୟ ରାଜ୍ୟରେ ଆୟୋଜିତ ହେଉଛି । କିନ୍ତୁ ଏହାର ମୂଳ ପରମ୍ପରା, ସଂସ୍କୃତି ଏବଂ ନିଆରା ଉତ୍ସବ କେବଳ ଗୁଜରାଟ ସହିତ ଜଡ଼ିତ । ଗୁଜରାଟ ରାଜ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଗର୍ବା ଉତ୍ସବ ଅନୁଷ୍ଠିତ ହୋଇଥାଏ । କେଉଁଛି ପୁରୁଷ ମାନେ ନାରୀଙ୍କ ବେଶ ଧାରଣ କରି ଗର୍ବା ଖେଳନ୍ତି ତ ଆଉ କେଉଁଠି ମହିଳାମାନେ ନିଜର ବୀରଙ୍ଗନା ପ୍ରଦର୍ଶନ କରନ୍ତି । ଆଉ ସେମିତି ଏକ ଭିନ୍ନ ଗର୍ବା ପରମ୍ପରା ରାଜକୋଟରେ ଦେଖିବାକୁ ମିଳେ । ଯେଉଁଠି ମହିଳାମାନେ ପାରମ୍ପାରିକ ନାଲି ବସ୍ତ୍ର ପରିଧାନ କରି ସୁନା ଅଳଙ୍କାରରେ ଆଭୂଷିତ ହୋଇ ଗର୍ବା ନାଚନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଏହା ଏତେ ଆଲୋଚ୍ୟର ବିଷୟ । ରାଜକୋଟରେ ଆୟୋଜିତ ସାହି ଗର୍ବା ଉତ୍ସବରେ ମହିଳାମାନେ ୯୦୦ କିଲୋଗ୍ରାମ ସୁନା ଅଳଙ୍କାର ପିନ୍ଧି ଗର୍ବା ଖେଳିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୩୦୦ କୋଟି ଟଙ୍କା ହେବ । ଏହି ସୁନା କିଛି ଦେଶର ଗଚ୍ଛିତ ସୁନାଠାରୁ ମଧ୍ୟ ଅଧିକ ଅଟେ ।
ରାଜକୋଟ ଆହିର ସେନା ପକ୍ଷରୁ ନବ ଦିନାତ୍ମକ ଗରବା ଉତ୍ସବ ପାଳିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଆଧୁନିକ ଯୁଗରେ ମଧ୍ୟ ପାରମ୍ପାରିକ ଗରବା ଏବଂ ତାର ମହତ୍ୱକୁ ବଜାୟ ରଖିବା । ମହିଳା ଏବଂ ପୁରୁଷମାନେ ପାରମ୍ପାରିକ ପୋଷାକରେ ରାସ କରିଥିଲେ । ପ୍ରଥମେ ଦ୍ୱାରିକାଧୀଶ ଶ୍ରୀକୃଷ୍ଣଙ୍କ ମହାଆଳତୀ କରାଯାଏ ଏବଂ ପରେ ଗରବା ଖେଳ ଆରମ୍ଭ ହୁଏ । ଏଥିରେ ପ୍ରାୟ ୧୫୦୦୦ ମହିଳା ସାମିଲ ହୋଇଥିଲେ । ନାଲି ବସ୍ତ୍ର ସହିତ ସୁନାର ଅଳଙ୍କାର ଗରବା ଉତ୍ସବକୁ ଆହୁରି ନିଆରା କରିଥିଲା ।
ଆହିର ସମ୍ପ୍ରଦାୟ ପାଇଁ ଗର୍ବା କେବଳ ଏକ ନୃତ୍ୟ ନୁହେଁ, ବରଂ ଏହା ସେମାନଙ୍କ ପରିଚୟ ଓ ଐତିହ୍ୟକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବାର ଏକ ମାଧ୍ୟମ ମଧ୍ୟ ଅଟେ। ପାରମ୍ପରିକ ପୋଷାକ ପରିଧାନ କରି ମହିଳାମାନଙ୍କର ଏକତ୍ର ହୋଇ 'ରାସ' ପରିବେଷଣ କରିବା, ସାମୂହିକ ଏକତା ଏବଂ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ସୂଚିତ କରେ ।