ଭୁବନେଶ୍ୱର: ମୌସୁମୀ ଅଧିବେଶନରେ ଆରମ୍ଭରୁ ଲଗାତର ଦୁଇ ଦିନ ହେବ ଗୃହରେ ଅଚଳାବସ୍ଥା ଜାରି ରହିଛି । ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରିଥିଲା । ପ୍ରଥମେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖୁଥିବାବେଳେ ବିଜେଡ଼ି ଓ କଂଗ୍ରେସ ଏମ୍ଏମଡିଆର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହକୁ ଅଚଳ କରିଦେଇଥିଲେ । କଂଗ୍ରେସ ମଧ୍ୟ ବିଜେଡ଼ି ସହିତ ତାଳ ଦେଇ ହୋହାଲ୍ଲା କରିଥିଲା । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବାଧ୍ୟହୋଇ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳକୁ ବାତିଲ କରି ପ୍ରଥମ ଦଫାରେ ଗୃହକୁ ଅପରାହ୍ନ ୪ଟା ଯାଏଁ ସ୍ଥଗିତ ରଖିଥିଲେ ।
ପୁନର୍ବାର ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ନାରାବାଜି କରିଥିଲେ । ପୁଣି ଥରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ଦଶଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।