ଗଜପତି: ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ମଧ୍ୟରେ ଗଜପତି ଜିଲ୍ଲାର ଆର୍. ଉଦୟଗିରି ବ୍ଲକ୍ ପରିବେଟା ଘାଟି ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ଏକ ବିଶାଳ ପଥର ଖସି ସିଧାସଳଖ ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସୌଭାଗ୍ୟବଶତଃ ଘଟଣାବେଳେ କୌଣସି ଯାତ୍ରୀ କିମ୍ବା ଗାଡ଼ି ପଥର ତଳେ ଫସିନଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି।
ପରିବେଟା ଘାଟି ରାସ୍ତା ନୂଆଗଡ଼ ବ୍ଲକର ସମ୍ବଲପୁର ସମେତ ତିନିଟି ପଞ୍ଚାୟତକୁ ଆର୍. ଉଦୟଗିରି ସହ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ। ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିବାରୁ ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଖବର ପାଇ ବ୍ଲକ୍ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି JCB ମେସିନ୍ ଲଗାଇ ପଥର ଓ ମାଟି ଅପସାରଣ କାମ ଆରମ୍ଭ କରିଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଶୀଘ୍ର ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।
ଏପଟେ ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ଥିବା ବେଳେ ଗଜପତିର ପାହାଡ଼ିଆ ଅଞ୍ଚଳରେ ଆହୁରି ଭୂସ୍ଖଳନର ଆଶଙ୍କା ରହିଛି।
ପ୍ରଶାସନ ପକ୍ଷରୁ ଘାଟି ରାସ୍ତାରେ ଅତ୍ୟାବଶ୍ୟକ ନ ହେଲେ ଯାତାୟାତ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଜାରି ରହିଲେ ଢିଲା ପଥର ଖସିବା ଓ ଅଧିକ ଭୂସ୍ଖଳନର ବିପଦ ବଢ଼ିପାରେ।