ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ (UNGA)ର ମଞ୍ଚକୁ ପୁଣିଥରେ ଭାରତ ବିରୋଧୀ ବୟାନବାଜି ପାଇଁ ବ୍ୟବହାର କରିଛନ୍ତି ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନ। ଚଳିତ ଜାତିସଂଘ ଅଧିବେଶନରେ ସେ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଦକ୍ଷିଣ ଏସିଆର ସମସ୍ତ ବିବାଦ ସହ କାଶ୍ମୀର ପ୍ରସଙ୍ଗକୁ ମଧ୍ୟ ଜାତିସଂଘ ଚାର୍ଟର ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
UNGAରେ ପୁରୁଣା ଅଭ୍ୟାସ ଦୋହରାଇଲେ ଏର୍ଦୋଗାନ
ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ମହାସଭାର ୮୧ତମ ଅଧିବେଶନରେ ସମ୍ବୋଧନ କରିବା ଅବସରରେ ଏର୍ଦୋଗାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ତୁର୍କୀ ରାଷ୍ଟ୍ରପତି ଗତ କିଛି ବର୍ଷ ହେବ ନିୟମିତ ଭାବେ ଜାତିସଂଘ ମଞ୍ଚରୁ ଏଭଳି ଭିତ୍ତିହୀନ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ବିଶେଷକରି ୨୦୧୯ ମେ’ ମାସରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ରଦ୍ଦ କରିବା ପରଠାରୁ ଏର୍ଦୋଗାନ ବାରମ୍ବାର ଏହି ପ୍ରସଙ୍ଗରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଆସୁଛନ୍ତି।
ଭାରତର କଡ଼ା ପ୍ରତିକ୍ରିୟା
ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଭାରତ ପକ୍ଷରୁ ବାରମ୍ବାର କଡ଼ା ଚେତାବନୀ ଦିଆଯାଇଥିଲେ ମଧ୍ୟ ତୁର୍କୀ ରାଷ୍ଟ୍ରପତି ନିଜ ଜିଦ୍ରେ ଅଟଳ ଅଛନ୍ତି। ପୂର୍ବରୁ ଏଭଳି ଅପ୍ରାସଙ୍ଗିକ ମନ୍ତବ୍ୟକୁ କଡ଼ା ବିରୋଧ କରି ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ଭାରତୀୟ କୂଟନୈତିକ ସ୍ତରରେ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି ଯେ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏଥିରେ ବାହାର ଦେଶର ହସ୍ତକ୍ଷେପ କଦାପି ଗ୍ରହଣୀୟ ନୁହେଁ।