ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ କ୍ଲିୟରାନ୍ସ କର୍ତ୍ତୃପକ୍ଷ (HLCA) ର ୪୬ତମ ବୈଠକରେ ରାଜ୍ୟରେ ମୋଟ ୨,୪୭,୧୧୫.୭୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି। ଏହି ବୈଠକରେ ୧୫ଟି ଜିଲ୍ଲା ପାଇଁ ୨୭ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ, ଏହାଜରିଆରେ ୫୦,୧୬୨ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏଥରର ପ୍ରକଳ୍ପଗୁଡ଼ିକରେ କେବଳ ପାରମ୍ପରିକ ଶିଳ୍ପ ନୁହେଁ, ବରଂ ଡାଟା ସେଣ୍ଟର, କୃତ୍ରିମ ପ୍ରଜ୍ଞା (AI), ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍, ଏବଂ ଲାବ୍-ଗ୍ରୋନ୍ ଡାଇମଣ୍ଡ୍ ଭଳି ଆଧୁନିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟ ଆକର୍ଷଣ ଓ କ୍ଷେତ୍ରଗୁଡ଼ିକ
ଡାଟା ସେଣ୍ଟର ଓ ଆଇଟି
ରାଜ୍ୟରେ ଡାଟା ସେଣ୍ଟର ଏବଂ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ସର୍ବାଧିକ ପୁଞ୍ଜିନିବେଶ ହୋଇଛି। ୪ଟି ପ୍ରକଳ୍ପ ପାଇଁ ମୋଟ ୧,୪୨,୯୪୧ କୋଟି ଟଙ୍କା ବିନିଯୋଗ କରାଯାଉଛି। ଖୋର୍ଦ୍ଧାରେ ହାଇ ଡେନ୍ସିଟି ଡାଟା ସେଣ୍ଟର ପକ୍ଷରୁ ସବୁଠୁ ବଡ଼ ଇଣ୍ଟିଗ୍ରେଟେଡ୍ ଡାଟା ସେଣ୍ଟର ପାର୍କ (୧,୦୪,୫୫୦ କୋଟି) ନିର୍ମାଣ ହେବାକୁ ଥିବାବେଳେ, ଏଚ୍ସିଏଲ୍ (HCL) ଏବଂ ସେଣ୍ଟ୍ରାଫର୍ଜ ଏଆଇ (Sentraforge AI) ପକ୍ଷରୁ ଏଆଇ-ଅପ୍ଟିମାଇଜ୍ଡ୍ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ।
ଶକ୍ତି ଓ ପାୱାର୍ ସେକ୍ଟର
ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ୫୪,୨୮୭.୭୦ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିଛି। ଏନଏଲସି ଇଣ୍ଡିଆ (NLC India) ଦେବଗଡ଼ ଏବଂ ଅନୁଗୋଳରେ ତାପଜ ବିଦ୍ୟୁତ୍ ପ୍ରକଳ୍ପ କରିବାକୁ ଥିବାବେଳେ, ରାୟଗଡ଼ା ଓ କୋରାପୁଟରେ ପମ୍ପଡ୍-ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ରକଳ୍ପ ନିର୍ମାଣ ହେବ।
ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପ
ସୁନ୍ଦରଗଡ଼ରେ ରୁଙ୍ଗଟା ମାଇନ୍ସ ଏବଂ ଶାକମ୍ଭରୀ ଇସ୍ପାତ ପକ୍ଷରୁ ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୧୪,୦୦୦ କୋଟି ଟଙ୍କାର ନିବେଶ ହେବ। ଏହାଛଡ଼ା ଖୋର୍ଦ୍ଧା ଓ ଗଞ୍ଜାମରେ ଲାବ୍-ଗ୍ରୋନ୍ ଡାଇମଣ୍ଡ୍ (କୃତ୍ରିମ ହୀରା) ଉତ୍ପାଦନ ପାଇଁ ୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବା: ଖୋର୍ଦ୍ଧାରେ ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଏକ ୧୦୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସୁପର ସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ କରାଯିବ, ଯେଉଁଥିରେ ୨,୧୫୦ କୋଟି ଟଙ୍କା ବିନିଯୋଗ ହେବ।
ସନ୍ତୁଳିତ ଆଞ୍ଚଳିକ ଶିଳ୍ପାୟନ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏହି ବିଶାଳ ନିବେଶ ରାଜ୍ୟର ଶିଳ୍ପ ମାନଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। କେବଳ ପାରମ୍ପରିକ ଶିଳ୍ପ ନୁହେଁ, ବରଂ ଟେକ୍ନୋଲୋଜି, ଗ୍ରୀନ୍ ଏନର୍ଜି ଏବଂ ଆଧୁନିକ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୩୬ ସୁଦ୍ଧା 'ସମୃଦ୍ଧ ଓଡ଼ିଶା' ଏବଂ ୨୦୪୭ 'ବିକଶିତ ଭାରତ'ର ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟଷ୍ତ ହେବ।