ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉପକୂଳରେ ଗଭୀର ଅବପାତର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗର (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଏହି ଗଭୀର ଅବପାତଟି କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରୁଛି। ଲ୍ୟାଣ୍ଡଫଲ୍ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଜାରି ରହିବ ବୋଲି ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ କଡ଼ା ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିବିଧି ଉପରେ କ୍ରମାଗତ ନଜର ରଖାଯାଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ବର୍ଷା ଓ ପବନର ପରିମାଣରେ କ୍ରମଶଃ ପରିବର୍ତ୍ତନ ଆସିବ ବୋଲି ଜଣାପଡ଼ିଛି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Also Read: ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା; ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ ମିମି ରେକର୍ଡ