ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ପୁଣି ବଢ଼ାଇଛି ରାସ୍ତା ଯାତାୟାତ ସମସ୍ୟା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଘାଟି ରାସ୍ତାରେ ବର୍ଷା ପରେ ଅବସ୍ଥା ସାଂଘାତିକ ହୋଇପଡ଼ିଛି। ଖଲ୍ଲିକୋଟ ବଡ଼ ଘାଟିରେ ପାହାଡ଼ରୁ ବିରାଟ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରହ୍ମପୁର-ଭୁବନେଶ୍ୱର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିବାବେଳେ ଏନ୍ଏଚ୍-୧୬ରେ ଶହ ଶହ ଗାଡ଼ି ଅଟକି ରହିଛି।
ଅନ୍ୟପଟେ, ଗଞ୍ଜାମର ଦାରିଙ୍ଗବାଡ଼ି ଘାଟିରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଭୀଷଣ ବର୍ଷାରେ ରାସ୍ତାର ଏକ ଅଂଶ ଦବିଯିବାରୁ ଏକ ୧୪ ଚକିଆ ଟ୍ରକ୍ ରାସ୍ତାରେ ଫସିଯାଇଛି। ଭୁବନେଶ୍ୱରରୁ ରାୟପୁର ଅଭିମୁଖେ କାଗଜ ନେଇ ଯାଉଥିବା ଏହି ଟ୍ରକ୍ଟି ଦାରିଙ୍ଗବାଡ଼ି ଘାଟିର ଚତୁର୍ଥ ମୋଡ଼ ନିକଟରେ ଫସିଥିବା ଜଣାପଡ଼ିଛି।
ରାସ୍ତା ଦବିଯିବାରୁ ଟ୍ରକ୍ର ଚକା ତଳକୁ ପଶିଯାଇଥିଲା। ଫଳରେ ଟ୍ରକ୍ଟି ରାସ୍ତା ଉପରେ ଏକପାଖିଆ ହୋଇ ରହିଥିବାରୁ ଅନ୍ୟ ଭାରୀ ଯାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଅନେକ ଭାରୀ ଯାନ ଅଟକି ରହିଥିବା ବେଳେ ଯାତାୟାତ ପ୍ରାୟ ଠପ୍ ହୋଇଯାଇଛି।
ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ଟିକୁ ହଟାଇବା ସହ ରାସ୍ତା ସ୍ୱାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଟ୍ରକ୍ ହଟିନଥିବା ସମୟରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ରହିଛି। ଲଗାଣ ବର୍ଷା ମଧ୍ୟରେ ଘାଟି ରାସ୍ତାରେ ପଥର ଖସିବା ଓ ରାସ୍ତା ଦବିବା ଘଟଣା ଯାତ୍ରୀ ଓ ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ାଇଛି।