ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ନେତା ଅଭିଜିତ ଦିପକେ, ଆଶୁତୋଷ ରାଙ୍କା, ସୌରଭ ଦାସ ଏବଂ ରତ୍ନା ସିଂହଙ୍କ ପାଇଁ ଅଡ଼ୁଆ ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣେ ମହିଳାଙ୍କ ଏଆଇ ଫଟୋ ପ୍ରସାରଣକୁ ନେଇ ତ୍ୱରିତ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି । ଏହା ସହିତ ମହିଳାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ବିଚାରପତି ବିଚାରପତି ଗିରିଶ କାଥପାଲିଆ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜନୈକା ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ଫଟୋକୁ ତାଙ୍କ ସମ୍ମତି ବିନା ବ୍ୟବହାର କରାଯାଇଥିଲା ଏବଂ ଏଆଇ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସହ ଏକ ଆପତ୍ତିଜନକ ଫଟୋରେ ପରିବର୍ତ୍ତନ କରାଯାଇଥିଲା। ସେହି ଫଟୋକୁ ଜନ୍ତର ମନ୍ତରରେ ସିଜେପି ପ୍ରତିବାଦ ସମୟରେ ବ୍ୟବହାର କରାଯାଇଥିଲା । ଉକ୍ତ ଫଟୋକୁ ନେଇ ବ୍ୟାନର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । କଥିତ ପ୍ରତିବାଦର ଭିଡିଓ ପରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଯାହା ବିରୁଦ୍ଧେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ମେଟା ପ୍ଲାଟଫର୍ମଗୁଡ଼ିକୁ ସୋସିଆଲ ମିଡିଆ ନେଟୱାର୍କ, ଅଶ୍ଳୀଳ ୱେବସାଇଟ୍, ମିରର୍ ଡୋମେନ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଯେଉଁଠାରେ ଏହି ଅଶ୍ଳୀଳ ଚିତ୍ରଗୁଡ଼ିକ ଅପଲୋଡ୍ କରାଯାଇଛି ସେଗୁଡ଼ିକୁ ବ୍ଲକ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମହିଳା ଜଣକ ଅନୁରୋଧ କରିଛନ୍ତି ।
ସେପ୍ଟେମ୍ବର ଗୁରୁବାର ଦିନ ନୂଆଦିଲ୍ଲୀର ସାଇବର ପୋଲିସ ଷ୍ଟେସନରେ ଆଇଟି ଆଇନ ଏବଂ ବିଏନଏସର ବିଭିନ୍ନ ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ପୋଲିସ ସୁରକ୍ଷା ଯୋଗାଇବା ଏବଂ ତାଙ୍କ ଜୀବନ ଏବଂ ଶାରୀରିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ମହିଳା ଜଣକ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆପତ୍ତିଜନକ ଫଟୋ ଭାଇରାଲ ହେବା ପରେ, ତାଙ୍କୁ ନିରନ୍ତର ଧମକପୂର୍ଣ୍ଣ ଏବଂ ଅପମାନଜନକ ମେସେଜ୍ ମିଳୁଛି ।