ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ସମସ୍ତ ବିରୋଧୀ ଦଳ ଇସ୍ତଫା ଦାବି କରୁଥିବାବେଳେ ଅନ୍ୟପଟେ ବିଜେପି ନେତା ଜ୍ଞାନେଶ କୁମାରଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିବାକୁ ଦାବି କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଜ୍ଞାନେଶ କୁମାରଙ୍କ ପଦ୍ମ ସମ୍ମାନ ଦେବାକୁ କହିଛନ୍ତି ।
ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଜ୍ଞାନେଶ କୁମାରଙ୍କ ସମର୍ଥନରେ ବାହାରିଛନ୍ତି । ସମିକ ଯୁକ୍ତି ବାଢ଼ିଛନ୍ତି ଯେ ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପଛରେ ଜ୍ଞାନେଶଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏଥିପାଇଁ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବା କଥା । ଏହା ସହିତ ସମିକ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସ ଦଳ ରାହୁଲ ଗାନ୍ଧୀ ଗୁରୁତର ସହିତ ନେଉ ନାହିଁ । ଜ୍ଞାନେଶ କୁମାରଙ୍କୁ ପଦ୍ମ ବିଭୂଷଣ ମିଳିବା କଥା । ସମଗ୍ର ପଶ୍ଚିମବଙ୍ଗ ବାସିନ୍ଦା ବହୁତ ଖୁସି ଅଛନ୍ତି । ଏତେ ଦିନ ପରେ ସମସ୍ତେ ଭୟର ବାତାବରଣରୁ ବାହାରକୁ ଆସି ବିନା କୌଣସି ହତ୍ୟା ଘଟଣାରେ ଲୋକ ମତଦାନ କରିଛନ୍ତି ।
ସମିକ ଆହୁରି କହିଛନ୍ତି ଯେ ଗୋଟେ ସୀମାନ୍ତ ରାଜ୍ୟ ଭାବେ ପଶ୍ଚିମବଙ୍ଗରେ ବାଂଲାଦେଶୀ ଅଛନ୍ତି । ରାଜ୍ୟରୁ ବାଂଲାଦେଶୀ ମତଦାତାଙ୍କୁ ବାହାର କରିବାରେ ଜ୍ଞାନେଶ କୁମାର ହାତ ରହିଛି । ତେଣୁ ପଶ୍ଚିମବଙ୍ଗ ଜନତାଙ୍କ ଆଶୀର୍ବାଦ ଏବଂ ବିଜେପିର ଦାବି ତାଙ୍କୁ ପଦ୍ମ ବିଭୂଷଣ ଦେବା ଉଚିତ ।
ସମିକଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଜ୍ଞାନେଶଙ୍କ ବିରୋଧରେ ଆକ୍ରୋଶ ବଢ଼ିଛି । ଏକ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ପରେ ଏହି ବିରୋଧ ହେଉଛି । ଯେଉଁଥିରେ ଦାବି କରାଯାଇଛି ଯେ ଗତ ୧୦ ମାସ ମଧ୍ୟରେ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ଜଣ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀଙ୍କ ମଧ୍ୟରେ ଏସ୍ଆଇଆର ନିଷ୍ପତ୍ତି ଉପରେ ଅନେକ ମତାନ୍ତର ହୋଇଛି । ଦୁଇ ଆୟୁକ୍ତ ଅତିକମରେ ୧୪ ଥର ଲିଖିତ ଅଭିଯୋଗ କରିଛନ୍ତି ।