ନୂଆଦିଲ୍ଲୀ: ଭାରତୀୟ ଯୁବ ଓପନର ଯଶସ୍ୱୀ ଜୟସ୍ଵାଲ ଏବଂ ଶ୍ରୀଲଙ୍କା ଦ୍ରୁତ ବୋଲର ଅସିଥା ଫର୍ଣ୍ଣାଡୋଙ୍କ ମଧ୍ୟରେ କଲମ୍ବୋ ଟେଷ୍ଟ ମ୍ୟାଚ୍ ସମୟରେ ହୋଇଥିବା ତୀବ୍ର ଯୁକ୍ତିତର୍କ ଓ ବିବାଦକୁ ନେଇ ଶେଷରେ ସତ ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟର ଧ୍ରୁବ ଜୁରେଲ ଏହି ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟାଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜୁରେଲ କହିଛନ୍ତି ଯେ, ସେହିଦିନ ପଡ଼ିଆରେ ପ୍ରକୃତରେ କ’ଣ ଘଟିଥିଲା ଏବଂ କାହିଁକି ଜୟସ୍ଵାଲ ଏତେ ରାଗିଯାଇଥିଲେ।
ଗାଳି ଗୁଲଜ ସହିପାରିନଥିଲେ ଜୟସ୍ଵାଲ
ଜୁରେଲଙ୍କ କହିବା ଅନୁଯାୟୀ, ଜୟସ୍ଵାଲ ଆଉଟ୍ ହେବା ପରେ କୌଣସି ପ୍ରତିକ୍ରିୟା ନଦେଇ ଶାନ୍ତ ଭାବେ ପାଭିଲିୟନ୍ ଆଡ଼କୁ ଫେରୁଥିଲେ। ମାତ୍ର ବୋଲର ଅସିଥା ଫର୍ଣ୍ଣାଣ୍ଡୋ ତାଙ୍କୁ ଲଗାତାର ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଜୟସ୍ଵାଲ ପଛକୁ ବୁଲି ଅସିଥାଙ୍କୁ କହିଥିଲେ, "ତୁମେ ମୋ ୱିକେଟ୍ ନେଲ, ସାଧାରଣ ଆକ୍ରୋଶ କିମ୍ବା ସେଲିବ୍ରେସନ୍ ଦେଖାଇବା ପର୍ଯ୍ୟନ୍ତ ଠିକ୍ ଅଛି। କିନ୍ତୁ ତୁମେ ମୋତେ ଗାଳି ଦେଇପାରିବ ନାହିଁ।" ତେବେ ଶ୍ରୀଲଙ୍କା ବୋଲରଜଣକ ନ ସୁଧୁରିବାରୁ ଜୟସ୍ଵାଲ ନିଜ ରାଗ ନିୟନ୍ତ୍ରଣ କରିପାରିନଥିଲେ।
ପ୍ରଥମେ ନିଜଆଡ଼ୁ ଗାଳି ଦିଅନ୍ତିନି ଯଶସ୍ୱୀ
ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ଜୁରେଲ କହିଛନ୍ତି ଯେ, ଜୟସ୍ଵାଲ କେବେ ବି ପ୍ରଥମେ ନିଜଆଡ଼ୁ କାହା ସହ ବିବାଦ କରନ୍ତି ନାହିଁ। ସେ ସବୁବେଳେ ନିଜ ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାନ୍ତି। କିନ୍ତୁ ଯଦି ବିପକ୍ଷ ଖେଳାଳି ସୀମା ପାର୍ କରନ୍ତି କିମ୍ବା ପ୍ରରୋଚିତ କରନ୍ତି, ତେବେ ସେ ମୁହଁତୋଡ଼ ଜବାବ ଦେବାକୁ ପଛାନ୍ତି ନାହିଁ।
ସୂଚନାଯୋଗ୍ୟ ଯେ, ମ୍ୟାଚ୍ ଚାଲିଥିବା ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ ଅଶୋଭନୀୟ ଆଚରଣ ପାଇଁ ଆଇସିସି (ICC) ଦୁହିଁଙ୍କ ଉପରେ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା ଲଗାଇବା ସହ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଥିଲା। ଏହି ଘଟଣା କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିଲା।