ନୂଆଦିଲ୍ଲୀ: ଜାପାନ ଆଇଚୀ-ନାଗୋୟା ଏସୀୟ କ୍ରୀଡ଼ାରେ ଚମକିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳ । ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ ଦଳ ଦେଶକୁ ପ୍ରଥମ ସ୍ୱର୍ଣ୍ଣ ଦେଇଛନ୍ତି । ମଙ୍ଗଳବାର ନିଶିନର କୋରୋଗୀ ସ୍ପୋର୍ଟସ୍ ପାର୍କରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୧୪୭ ରନରେ ପରାସ୍ତ କରି ଇତିହାସ ଦୋହରାଇଛି । ଏସୀୟ କ୍ରୀଡ଼ାରେ ଭାରତର ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ଜିତିଛି । ୨୦୨୩ ଏସୀୟ କ୍ରୀଡ଼ାରେ ମଧ୍ୟ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା ।
ସେହିପରି ଶ୍ରୀଲଙ୍କା ରୌପ୍ୟ ଜିତିଥିବାବେଳେ ପାକିସ୍ତାନ ବାଂଲାଦେଶକୁ ୩୧ ରନରେ ହରାଇ କଂସ୍ୟ ପଦରେ ସନ୍ତୁଷ୍ଟ ରହିଛି ।
ଆଜିର ଫାଇନାଲ ମୁକାବିଲାରେ ଭାରତ ଏବଂ ଶ୍ରୀଲଙ୍କା ସ୍ୱର୍ଣ୍ଣ ପଦକ ପାଇଁ ମଇଦାନକୁ ଓହ୍ଲାଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୩ଟି ୱିକେଟ୍ ହରାଇ ଶ୍ରୀଲଙ୍କା ସମ୍ମୁଖରେ ୨୧୭ ରନର ଟାର୍ଗେଟ୍ ଦେଇଥିଲା । ଯେଉଁଥିରେ କେବଳ ୧୩ଟି ଛକା ସାମିଲ ରହିଛି । ଶ୍ରୀଲଙ୍କା ଟାର୍ଗେଟ୍ ସ୍କୋରକୁ ପିଛା କରି ମାତ୍ର ୧୫.୪ ଓଭରରେ ୬୯ ରନ୍ ଧରାଶାୟୀ ହୋଇପଡ଼ିଛି । ଏହି ରନ୍ ସ୍କୋରରେ ସ୍ମୃତି ମାନ୍ଧନା ୪୫ ବଲ୍ ବିନିମୟରେ ୬ଟି ଛକା ଏବଂ ୩ଟି ଚୌକା ସହିତ ୭୯ ରନ୍ ଦେଇଥିଲେ । ସେହିପରି ଓପନର୍ ଶେଫାଳି ବର୍ମା ୪୮ (୨୯), ଯେଉଁଥିରେଲ ୩ ଟି ଛକା ଏବଂ ୩ଟି ଚୌକା ରହିଛି । ଓ ରିଚା ଘୋଷ ୨୨ଟି ବଲରେ ୪୯ ରନ୍ କରି ଅପରାଜିତ ରହିଥିଲେ । ସ୍ମୃତି ଏବଂ ଶେଫାଳି ୧୦ ଓଭରରେ ୯୯ରନରେ ପାଳି ଖେଳି ଥିଲେ । ଶ୍ରୀଲଙ୍କା ବୋଲର୍ ସୁଗନ୍ଧିକା କୁମାରୀ, ଚାମୁଦୀ ପ୍ରବୋଦା ଏବଂ କବିଶା ଦିଲହାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ସେହିପରି ଶ୍ରୀଲଙ୍କା ବ୍ୟାଟର୍ ମଧ୍ୟ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ । ଶ୍ରୀଲଙ୍କା କ୍ୟାପଟେନ୍ ଚମାରୀ ଅଟାପଟ୍ଟୁ ସର୍ବାଧିକ ୨୧ଟି ବନରେ ୨୯ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଶେଫାଳୀ ବର୍ମା, ଶ୍ରୀୟଙ୍କା ପାଟିଲ ଏବଂ ଶ୍ରୀ ଚରଣୀଙ୍କ ଖାତାକୁ ଦୁଇଟି ଲେଖାଏଁ ୱିକେଟ୍ ଯାଇଛି ।
ଭାରତ କ୍ୱାର୍ଟର୍ ଫାଇନାଲରେ ଜାପାନକୁ ୮ ୱିକେଟରେ ଏବଂ ସେମିଫାଇନାଲରେ ବାଂଲାଦେଶକୁ ୧୧୪ରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲା । ଶ୍ରୀଲଙ୍କା କ୍ୱାର୍ଟର ଫାଇନାଲରେ ମ୍ୟାଲେସିୟା ଏବଂ ସେମିରେ ପାକିସ୍ତାନକୁ ଧୂଳି ଚଟାଇଥିଲା ।