ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକର ଚିକ୍କବଲ୍ଲାରପୁର ଏବଂ ହାସନରୁ ଉଭୟଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଚିକ୍କବଲ୍ଲାରପୁର ବାପୁଜୀନଗର ବାସିନ୍ଦା ଶବ୍ବୀର ଏବଂ ହାସନ ବାସିନ୍ଦା ସିକନ୍ଦର ଶେଖ ।
ପୋଲିସର ସୂଚନା ଅନୁସାରେ, ଶବ୍ବୀର ଏବଂ ସିକନ୍ଦର ଟେଲିଗ୍ରାମରେ ଏକ ଗ୍ରୁପ୍ କରିଥିଲା । ଯେଉଁ ଗ୍ରୁପ ଜରିଆରେ ସେମାନେ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଉସକାଉଥିଲେ । ଧନୀ ଶ୍ରେଣୀର ଲୋକଙ୍କୁ ଅପହରଣ କରିବାକୁ ଯୋଜନା ପ୍ରସ୍ତୁତ କରିବା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଏହି ଗ୍ରୁପ କରାଯାଇଥିଲା ।
ପୋଲିସ ଉଭୟଙ୍କୁ ଗିରଫ କରି ନ୍ୟାୟିକ ହେପାଜତରେ ନେଇଛି । ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ଅନୁସାରେ ମାମଲା ରୁଜୁ କରାଯାଇଛି । ଏମାନଙ୍କ ସହିତ ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।