ମୟୂରଭଞ୍ଜ: ଲଗାଣ ବର୍ଷା ନେଇ ଆସିଲା ଦୁଃଖଦ ଖବର। ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାଲଦା ପଞ୍ଚାୟତର ପୁନସିଆ ଗାଁରେ। ମୃତ ମହିଳା ହେଲେ ସେହି ଗାଁର ଚୁନୁ ନାଏକ।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିଲା। ଲଗାତାର ବର୍ଷା ଯୋଗୁଁ ମାଟି ଘରର କାନ୍ଥରେ ପାଣି ପଶି ତାହା ଦୁର୍ବଳ ହୋଇଯାଇଥିଲା। ତେବେ ଗତରାତିରେ ଚୁନୁ ଘର ଭିତରେ ଥିବା ସମୟରେ ହଠାତ୍ ଏକ ମାଟି କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।
କାନ୍ଥ ତଳେ ଚାପି ହୋଇଯାଇଥିବାରୁ ଚୁନୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିବା ବେଳେ ପୁନସିଆ ଗାଁ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଲଗାଣ ବର୍ଷା ଯୋଗୁଁ ମାଟି ଘରଗୁଡ଼ିକ ପ୍ରତି ବିପଦ ବଢ଼ିଥିବାରୁ ଅସୁରକ୍ଷିତ ଘରେ ରହୁଥିବା ପରିବାରଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇବାକୁ ଦାବି ହୋଇଛି। ଏଥିସହ ମୃତ ମହିଳାଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।