ଯାଜପୁର: ବୈତରଣୀ ନଦୀରେ ଚଳିତ ବର୍ଷର ନବମ ବନ୍ୟା ପୁଣି ଦଶରଥପୁରବାସୀଙ୍କ ଚିନ୍ତା ବଢ଼ାଇଛି। ଶାଖା ନଦୀ କାଣୀରେ ଜୁଲାଇ ମାସରେ ସୃଷ୍ଟି ହୋଇଥିବା ଘାଇ ପୁଣି ଭାଙ୍ଗିଯିବାରୁ ବନ୍ୟାଜଳ ଗାଁ ଭିତରକୁ ମାଡ଼ି ଆସିଛି। ଫଳରେ ଦଶରଥପୁର ବ୍ଲକର ତରପଦା ଓ କସପା ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଅହିୟାସ ବଜାରରେ ମଧ୍ୟ ପୁଣି ପଶିଛି ବନ୍ୟା ପାଣି।
ଗତ ୪ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀରେ ଜଳସ୍ତର ଦ୍ରୁତ ବଢ଼ିଛି। ଏହାର ପ୍ରଭାବରେ କାଣୀ ନଦୀର ସୁରକ୍ଷା ବନ୍ଧ ପୁଣି ଭାଙ୍ଗିଯାଇଛି। ସୂଚନା ଅନୁସାରେ, ବର୍ତ୍ତମାନ ଘାଇଟି ୧୦୦ ଫୁଟରୁ ଅଧିକ ଲମ୍ବରେ ପ୍ରସାରିତ ହୋଇଛି।
ସବୁଠୁ ବଡ଼ କଥା ହେଉଛି, ଏହି ସମାନ ସ୍ଥାନରେ ଗତ ଜୁଲାଇ ୨୮ ତାରିଖରେ ଦ୍ୱିତୀୟ ବନ୍ୟା ସମୟରେ ଘାଇ ସୃଷ୍ଟି ହୋଇଥିଲା। ପ୍ରାୟ ୪୫ ଦିନ ଧରି ବନ୍ୟାଜଳ ପ୍ରବାହିତ ହେବା ପରେ ଜଳସମ୍ପଦ ବିଭାଗ ସେପ୍ଟେମ୍ବର ୭ରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲା। ମାତ୍ର ନବମ ବନ୍ୟାରେ ସେହି ଘାଇ ପୁଣି ଭାଙ୍ଗିଯିବାରୁ ମରାମତି କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ନିମ୍ନମାନର କାମ ଯୋଗୁଁ ବନ୍ଧ ପୁଣି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି।
ଘାଇ ହେବା ପରେ ତଳିଆ ଅଞ୍ଚଳରେ ବନ୍ୟାଜଳ ଦ୍ରୁତ ବେଗରେ ପ୍ରବେଶ କରୁଛି। ପରିସ୍ଥିତି ଗୁରୁତର ହେବାରୁ ଅନେକ ପରିବାର ଘର ଛାଡ଼ି ନଦୀବନ୍ଧ ଉପରେ ପାଲ ବାନ୍ଧି ଆଶ୍ରୟ ନେବା ଆରମ୍ଭ କରିଛନ୍ତି। ଲଗାଣ ବର୍ଷା ସହ ପବନ ଲାଗି ରହିଥିବାରୁ ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି।
ଏପଟେ ବୈତରଣୀ ନଦୀ ଆଖୁଆପଦାରେ ୧୮.୩୩ ମିଟର ଏବଂ ଦଶରଥପୁରରେ ୯.୫୨ ମିଟର ଜଳସ୍ତର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର କମି ନଥିବାରୁ ଆଗାମୀ କିଛି ଘଣ୍ଟା ଦଶରଥପୁର ଅଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।