ଭୁବନେଶ୍ୱର: ରାଜ୍ୟର ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ବ୍ଲକ୍ ଗ୍ରାଣ୍ଟ୍ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଶହ ଶହ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ଏହାକୁ ନେଇ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିଛି ରାଜ୍ୟ ସରକାର। ବିଭିନ୍ନ ନିଯୁକ୍ତିକାରୀ ସଂସ୍ଥା ଜରିଆରେ ଖାଲି ପଦ ପୂରଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ଶୁକ୍ରବାର ବିଧାନସଭାରେ ସୂଚନା ଦିଆଯାଇଛି।
ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭିନ୍ନ ସ୍କୁଲରେ ଖାଲିଥିବା ପଦ ସମ୍ପର୍କରେ ତଥ୍ୟ ରଖିଛନ୍ତି। ସରକାରୀ ଏବଂ ସରକାରୀ ଭାବେ ଅପଗ୍ରେଡ୍ ହୋଇଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୧,୭୩୪ଟି ଶିକ୍ଷକ ପଦ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୩୫୮ଟି ପଦ ଖାଲି ରହିଛି। ଏହି ପଦଗୁଡ଼ିକ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (OPSC) ମାଧ୍ୟମରେ ଚୟନ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି।
ଏହା ସହିତ ୧୯୩ଟି ନୂଆ ଅପଗ୍ରେଡ୍ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ପାଇଁ ୧,୩୪୨ଟି ନୂଆ ଶିକ୍ଷକ ପଦ ସୃଷ୍ଟି କରିବା ପ୍ରକ୍ରିୟା ମଧ୍ୟ ଚାଲିଛି।
ଅନ୍ୟପଟେ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ୨୩୦ଟି ସରକାରୀ ଭୋକେସନାଲ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ମଧ୍ୟ ଅନେକ ପଦ ଖାଲି ରହିଛି। ଏଠାରେ ୭୦ ଜୁନିୟର ଲେକ୍ଚରର, ୧୧୬ ସିନିୟର କ୍ଲର୍କ, ୧୪୩ ଜୁନିୟର କ୍ଲର୍କ ଏବଂ ୧୬୮ ପିଅନ୍ ପଦ ଖାଲି ରହିଛି। ସେହିପରି ୨୬ଟି ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲରେ ମଧ୍ୟ ଖାଲି ପଦ ପୂରଣ ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ (SSB) ଜରିଆରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି।
୬୬୨ ବର୍ଗ ଅଧୀନ ୪୯୯ଟି ବ୍ଲକ୍ ଗ୍ରାଣ୍ଟ୍ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ୩,୧୧୬ଟି ଲେକ୍ଚରର ପଦ ମଞ୍ଜୁର ହୋଇଥିବା ବେଳେ ୩୦୨ଟି ପଦ ଖାଲି ରହିଛି। ସ୍ଥାୟୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ପାଠପଢ଼ାରେ ଯେପରି ବାଧା ନ ଆସେ, ସେଥିପାଇଁ ଆବଶ୍ୟକ ସ୍ଥାନରେ ଅତିଥି ଅଧ୍ୟାପକ ନିୟୋଜିତ କରାଯାଇଛି।
ସେହିପରି ସରକାରୀ ହାଇସ୍କୁଲଗୁଡ଼ିକରେ ଖାଲି ପଦ ପୂରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୬୫୨ଟି ଶିକ୍ଷକ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆଗେଇ ଚାଲିଛି। ଖାଲି ପଦଗୁଡ଼ିକ ପୂରଣ ହେଲେ ରାଜ୍ୟର ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ହ୍ରାସ ପାଇବା ସହ ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।