ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ଡକ୍ଟର ସର୍ବଣା ବିବେକ ଏମ୍ ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ଆଇପିଏସ୍ ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି।
୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡକ୍ଟର ସର୍ବଣା ବିବେକ ଏମ୍ ଭୁବନେଶ୍ୱର ଡିସିପି ହେବା ପୂର୍ବରୁ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରୁଥିଲେ। ସେ ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ସ୍ଥାନରେ ନିଯୁକ୍ତି ହୋଇଛନ୍ତି। ଆଇପିଏସ୍ ଜଗମୋହନ ମୀନା ସରକାରୀ ସେବାରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା।
ଦାୟିତ୍ୱ ନେବା ପରେ ଭୁବନେଶ୍ବର ଡିସିପି ଗଣମାଧ୍ୟମରେ କହିଛନ୍ତି ଯେ
ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ । ପୋଲିସ ଗୋଟିଏ ଟିମ୍ ୱାର୍କ, ଟିମ୍ ହୋଇ କାମ କରିବୁ। ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଲୋକେ ବହୁତ ଟଙ୍କା ହରାଉଛନ୍ତି। ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ। ଏଥିସହ ସହରରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁଧାର ଏବଂ ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେବେ ବୋଲି ସୂଚନା ମିଳିଛି।