ବାଲେଶ୍ୱର : ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।ବର୍ତ୍ତମାନ ନଦୀର ସତର୍କ ସଙ୍କେତ ୭.୨୧ ମିଟର ରହିଥିବା ବେଳେ ଏହା ବୃଦ୍ଧି ପାଇ ୭.୪୦ ମିଟରରେ ପହଞ୍ଚିଛି। ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।
ବନ୍ୟା ପରିସ୍ଥିତିକୁ ନଜରରେ ରଖି ବାରିପଦା ଏବଂ ବାଲେଶ୍ୱରର ନଦୀକୂଳିଆ ତଥା ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ବିଶେଷ ଭାବେ ସତର୍କ ରହିବାକୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନା ଓ ନିର୍ଦ୍ଦେଶକୁ ନିୟମିତ ଭାବେ ଅନୁସରଣ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ତୁରନ୍ତ ଉଚ୍ଚ ସ୍ଥାନ କିମ୍ବା ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ବାଲେଶ୍ୱରରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇ ୧୨୬ ମିମି ବର୍ଷା ରେକର୍ଡ କରାଯାଇଛି ଏବଂ ଆଗାମୀ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ସୂଚନା ଅନୁସାରେ ୨୪ ଘଣ୍ଟାରେ ଦୁର୍ବଳ ହେବ ଗଭୀର ଅବପାତ। ହେଲେ ୧୨ ଘଣ୍ଟା ଯାଏଁ ଘାଣ୍ଟିବ ଗଭୀର ଅବପାତ। ଗତକାଲି ମଧ୍ଯ ରାତ୍ରିରେ କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁଛି। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା।