ଭୟଙ୍କର ବର୍ଷା ଓ ବନ୍ୟାରେ ଚଳିତ ବର୍ଷ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୨୬ଟି ଜିଲ୍ଲାରେ ବନ୍ୟା ଓ ପ୍ରବଳ ବର୍ଷାର ପ୍ରଭାବରେ ୩୭ ଲକ୍ଷ ୪୩ ହଜାର ୯୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଓ ଅତ୍ୟଧିକ ବର୍ଷା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୩ଟି ଗୋରୁଗାଈ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମଧ୍ୟ କ୍ଷତି ହୋଇଛି।
ବନ୍ୟା-ବର୍ଷାର ପ୍ରଭାବ କେବଳ ଜନଜୀବନରେ ସୀମିତ ରହିନାହିଁ, ଚାଷ ଓ ଘରବାଡ଼ି ଉପରେ ମଧ୍ୟ ପଡ଼ିଛି ବଡ଼ ପ୍ରଭାବ। ରାଜ୍ୟରେ ୨ ଲକ୍ଷ ୧୨ ହଜାର ୫୩୩ ହେକ୍ଟରରୁ ଅଧିକ ଚାଷଜମିର ଫସଲ ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି। ସେହିପରି ୧୮ ହଜାର ୬୭ଟି ଘର କ୍ଷତିଗ୍ରସ୍ତ ହୋଇଛି।
ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ କ୍ଷତିପୂରଣ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, SDRF ନିୟମ ଅନୁସାରେ ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ପାଇଁ ଜିଲ୍ଲାଗୁଡ଼ିକୁ ମୋଟ ୨୩୪ କୋଟି ୮୪ ଲକ୍ଷ ୮୬ ହଜାର ଟଙ୍କା ମୁକ୍ତ କରାଯାଇଛି।
ଏହି ଅର୍ଥରୁ ଘର ନିର୍ମାଣ ସହାୟତା ବାବଦରେ ୩୩.୬୩ କୋଟି ଟଙ୍କା ଏବଂ ଫସଲ କ୍ଷତି ସହାୟତା ବାବଦରେ ୧୫୧.୯୬ କୋଟି ଟଙ୍କା ଦିଆଯାଇଛି। ବନ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟାରେ ଏହି ଅର୍ଥ ବ୍ୟବହାର କରାଯାଉଛି।